କନକ ବ୍ୟୁରୋ: ବିଜେଡି କ୍ଷମତାରୁ ଯିବା ପରେ ଦଳ ଭିତରେ ଅନ୍ତଃକନ୍ଦଳ ବଢିବାରେ ଲାଗିଛି। କେହି କାହାକୁ ମାନିବାକୁ ନାରାଜ। ଶାସନରେ ଥିବାବେଳେ ଅତି ଶୃଙ୍ଖଳିତ ଦଳର ପରିଚୟ ଦେଉଥିଲା ବିଜେଡି। କିନ୍ତୁ ଶାସନରୁ ହଟିବା ପରେ ଦଳୀୟ ନେତା ଓ କର୍ମୀଙ୍କ ବିଶୃଙ୍ଖଳ ଆଚରଣ ଅନେକବାର ଦେଖିବାକୁ ମିଳିଛି। କର୍ମୀ ଓ ନେତା ପରସ୍ପର ବିରୋଧରେ ବିଷ ଓଗାଳିବାରେ ବ୍ୟସ୍ତ। ବାଲେଶ୍ବରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଦଳୀୟ କାଉନସିଲର ଦେବାଶିଷ ସିଂଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ୨୨ ନମ୍ବର ୱାର୍ଡର କାଉନସିଲର ଶଶୀରେଖା ମହାନ୍ତି। ନିର୍ଦ୍ଦିଷ୍ଟ କାମକୁ ନେଇ ଦେବାଶିଷ ଜାତିଆଣ ଆକ୍ଷେପ କରୁଥିବା ଅଭିଯୋଗ ଆଣିଛନ୍ତି ଶଶୀରେଖା। ଏପରିକି ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶଶୀରେଖା। ଅନ୍ୟପଟେ ସବୁ ଅଭିଯୋଗର ତଦନ୍ତ ହେଉ ବୋଲି ଦେବାଶିଷ ଦାବି କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ଶଶୀରେଖା ଯେଉଁ ଅଭିଯୋଗର ଫର୍ଦ୍ଦ ଓଲଟାଇଛନ୍ତି ସେଥିରେ ବିଜେଡି ବାଲେଶ୍ବରରେ ଭାଗ ଭାଗ ବୋଲି ସଙ୍କେତ ମିଳିଛି। ଗତ ନିର୍ବାଚନରେ ଦେବାଶିଷ ଦଳ ବିରୋଧୀ କାମ କରିଥିବା କହି ସିଧାସଳଖ ଟାର୍ଗେଟ କରିଛନ୍ତି ଶଶୀରେଖା। ଅନ୍ୟପଟେ ବିଧାୟକ ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ନିର୍ବାଚନରେ ସହଯୋଗ କରିନଥିବା ସ୍ପଷ୍ଟ କରିଛନ୍ତି ଦେବାଶିଷ। ପ୍ରଶ୍ନ ଉଠୁଛି, କାହା ଇଙ୍ଗିତରେ ଦଳ ବିରୋଧୀ କାମ କରିଥିଲେ ଦେବାଶିଷ? କାହିଁକି ଏଯାଏଁ ଦେବାଶିଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରୁନି ଦଳ? ଦେବାଶିଷଙ୍କ ଉପରେ ଅଛି କି ହେଭିୱେଟଙ୍କ ଆର୍ଶୀବାଦ?
କାଉନସିଲରଙ୍କ କଳି ଭିତରେ ବାଲେଶ୍ବରରେ ବିଜେଡି ଦୁଇ ଫାଳ ବୋଲି ଜଳଜଳ ଦିଶୁଛି। ପୂର୍ବତନ ବିଧାୟକ ସ୍ବରୂପଙ୍କ ସମର୍ଥକ ଥିବା ଶଶୀରେଖା ବାରମ୍ବାର ଅଭିଯୋଗ ଆଣୁଥିଲେ ମଧ୍ୟ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକ କୁହାଯାଉଥିବା ଦେବାଶିଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନି କି ଦଳ? କାଉନସିଲରଙ୍କୁ ସମ୍ମୁଖରେ ରଖି ପ୍ରଚ୍ଛଦପଟରେ ଗୋଟି ଚାଳନା କରୁଛନ୍ତି କି ନେତା?