କନକ ବ୍ୟୁରୋ : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ରିପୋର୍ଟ ଓ ଶିଶୁ ପ୍ରସବରେ ତାଳ ମେଳ ଘଟଣାରେ ଡାକ୍ତରଖାନାର ଜୁନିଅର ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଗତକାଲି ଏହି ଘଟଣାକୁ ନେଇ ହସ୍ପିଟାଲରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଏପରିକି ପିଲା ଚୋରି ନେଇ ସନ୍ଦେହ ଉପୁଜିଥିଲା ।
ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ରିପୋର୍ଟ ଏବଂ ଶିଶୁ ପ୍ରସବରେ ତାଳ ମେଳ ନ ରହିବା ଘଟଣାରେ, ଜୁନିଅର ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ । ଅଲଟ୍ରାସାଉଣ୍ଡ କରିଥିବା ଡାକ୍ତର ହିଁ ପ୍ରସବ କରାଇଥିବା ଜଣାପଡ଼ିଛି । ଅଲଟ୍ରାସାଉଣ୍ଡରେ ମହିଳାଙ୍କ ପେଟରେ ଯାଆଁଳା ସନ୍ତାନ ଥିବା ରିପୋର୍ଟ ଆସିଥିଲା । ଓଜନ ମଧ୍ୟ ଦର୍ଶା ଯାଇଥିଲା । କିନ୍ତୁ ପ୍ରସବ ପରେ, କେବଳ ଗୋଟିଏ ଶିଶୁ ଜନ୍ମ ହେବାରୁ ପିଲା ଚୋରି ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ବାଲେଶ୍ୱର ରାଇବଣିଆ ଥାନା ଅଞ୍ଚଳର ମାକିଡିଆର, କାହ୍ନୁଚରଣ ପାଲ ମଙ୍ଗଳବାର ତାଙ୍କ ସ୍ତ୍ରୀଙ୍କୁ ପ୍ରସବ ପାଇଁ ମେଡିକାଲରେ ଆଡମିଟ କରିଥିଲେ । ଆଲଟ୍ରାସାଉଣ୍ଡ ରିପୋର୍ଟରେ ଦୁଇଟି ଶିଶୁ ଥିବା ଜଣାପଡିଥିଲା । କିନ୍ତୁ ପରେ ଗୋଟିଏ ଶିଶୁ ଜନ୍ମ ନେଇଥିଲା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା । ତେବେ ଜଣେ ଶିଶୁ ଜନ୍ମ ହେବା ପରେ ରିପୋର୍ଟର ସତ୍ୟତା ନେଇ ପ୍ରଶ୍ନ ଉଠିଛି । ପ୍ରକୃତରେ ରିପୋର୍ଟ ଠିକ ନା ଡାକ୍ତରଖାନା କର୍ତ୍ତୃପକ୍ଷ ଠିକ କହୁଛନ୍ତି ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି ।
ଏଠି ପ୍ରଶ୍ନ ଉଠୁଛି ଡାକ୍ତର ଭୁଲ ନା ଅଲଟ୍ରାସାଉଣ୍ଡ ରିପୋର୍ଟ ଭୁଲ ? ଯଦି ମେସିନ୍ ଠିକ ତାହାଲେ ଆଉ ଗୋଟେ ପିଲା ଗଲା କୁଆଡେ ? ପ୍ରସବ ପରେ ପିଲା ଚୋରି ହୋଇଛି କି ? ତେବେ ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିବ ।