କନକ ବ୍ୟୁରୋ: ଟିଟିଲାଗଡ ଉପଖଣ୍ଡ ସଇଁତଳା ସହରର ଜନସାଧାରଣ ପାନୀୟ ଜଳ ଓ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇଁ ନିକଟସ୍ଥ ଲାନ୍ଥ ନଦୀ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରୁ ହିଁ ଲାନ୍ଥ ନଦୀ ସମ୍ପୂର୍ଣ୍ଣ ଭାବରେ ଶୁଖିଲା ହୋଇଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

Advertisment

ଲାନ୍ଥ ନଦୀରେ ଥିବା କୂଅ, ସଇଁତଳା ସହରବାସୀଙ୍କ ଶୋଷ ମେଣ୍ଟାଏ । କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ହିଁ ଲାନ୍ଥ ନଦୀ ସମ୍ପୂର୍ଣ୍ଣ ଶୁଖିଯାଇଛି । ଫଳରେ କୂଅରୁ ଆବଶ୍ୟକ ପାଣି ବାହାରୁନି । ସେପଟେ ସହରରେ ୩-୪ ଦିନ ବ୍ୟବଧାନରେ ଅଧଘଣ୍ଟା ପାଇଁ ପାଇପ୍‌ ପାଣି ଆସୁଛି । ଫଳରେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସଇଁତଳା ସହରର ୧୦ଟି ୱାର୍ଡର ପ୍ରାୟ ୧୫ ହଜାରରୁ ଅଧିକ ଲୋକ । 
 
ସଇଁତଳାରେ ଆବଶ୍ୟକତା ଠାରୁ ଖୁବକମ ନଳକୂପ ରହିଛି । ତାହା ବି ପୁରୁଣା ହୋଇଗଲାଣି । ସେଥିରୁ ଠିକ୍‌ ଭାବେ ପାଣି ବାହାରୁନି । ସହରବାସୀ ଜଳକଷ୍ଟ ଭୋଗୁଥିବା ବେଳେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ବେଲପଡ଼ା ବ୍ଲକ ଓସ୍ଥାଲି ବନ୍ଧରୁ ପାଣି ଛାଡ଼ିବାକୁ ଦାବି କରିଛନ୍ତି ସରପଞ୍ଚ ସୁବ୍ରତ ନାଗ । ଅନ୍ୟପଟେ ସମସ୍ୟାର ସମାଧାନ ଲାଗି ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଛନ୍ତି ସଇଁତଳା ବିଡିଓ । ଖରାର ପ୍ରକୋପ ବଢ଼ୁଥିବାରୁ ତୁରନ୍ତ ସଇଁତଳାରେ ପାଣି ସମସ୍ୟାର ସମାଧାନ କରାଗଲେ ଲୋକ ଉପକୃତ ହୋଇପାରନ୍ତେ ।