କନକ ବ୍ୟୁରୋ : ହାଇଦ୍ରାବାଦ ଶ୍ରମ ବିଭାଗ ସହାୟତାରେ ଉଦ୍ଧାର ହୋଇଛନ୍ତି ଖପ୍ରାପୋଲ ଥାନା ଅନ୍ତର୍ଗତ ମହରାପଦର ଗାଁର ୮ ଦାଦନ ପରିବାର। କାମ ଦେବ କହି ତେଲେଙ୍ଗାନା ସୁଲତାନପୁର ଇଟାଭାଟିକୁ ନେଇଥିଲା ଦାଦନ ସର୍ଦ୍ଦାର। କିନ୍ତୁ ଭାଟିରେ କାମର ସମୟ ସୀମା ରହିଲା ନାହିଁ। ପଶୁ ଭଳି ଖଟାଉଥିଲେ ଭାଟି ମାଲିକ। ଅଭିଯୋଗ ଅନୁସାରେ, ଦିନକୁ ୨୨ ଘଣ୍ଟା ଖଟିବାକୁ ବାଧ୍ୟ କରାଯାଉଥିଲା! ପ୍ରତିବାଦ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ! ଝିଅମାନଙ୍କୁ ଦୁର୍ବ୍ୟବହାର କରିବାକୁ ବି ପଛାଉ ନଥିବା ଅଭିଯୋଗ ହୋଇଛି। ଇଟାଭାଟି ମାଲିକ କବଳରୁ ଖସି ବଲାଙ୍ଗୀରରେ ପହଞ୍ଚିବା ପରେ ବି କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଏସପିଙ୍କ ଦ୍ବାରସ୍ଥ ହୋଇଥିବା ଦାଦନ ପରିବାର।
ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ଉଚ୍ଚଶିକ୍ଷିତ ଛାତ୍ର। ଜଣେ ଡିପ୍ଲୋମା ଇଂଜିନିୟର ଓ ଅନ୍ୟ ଜଣେ ପାଟଣାଗଡ଼ ଜବାହାର କଲେଜର +୩ ରସାୟନ ବିଜ୍ଞାନ ଛାତ୍ର। ଅର୍ଥ ଅଭାବରୁ ସେମାନେ ଦାଦନ ଖଟିବାକୁ ଯାଇଥିଲେ। ଆଉ ସେଠାରେ ନିର୍ୟାତିତ ହୋଇ ଫେରିବା ପରେ ଦାଦନ ସର୍ଦ୍ଧାରଙ୍କ କବଳରୁ ବଂଚିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି।
ସରକାର ଶିଳ୍ପ କଥା କହୁଛନ୍ତି, ରୋଜଗାର ପ୍ରସଙ୍ଗରେ ଅନେକ ସମୟରେ ଆଲୋଚନା ପର୍ୟ୍ୟାଲୋଚନା କରୁଛନ୍ତି । କିନ୍ତୁ ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଦୁଃଖର ଅନ୍ତ ହେଉନି। ଶ୍ରମିକଙ୍କୁ କେବଳ ରାଜନୀତି ହେଉଥିବା ସ୍ପଷ୍ଟ ହେଉଛି।