କନକ ବ୍ୟୁରୋ: ସୋସିଆଲ ମିଡିଆରେ ବୁଲୁଛି ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନ। ଭିଡିଓଟି ତଦନ୍ତ ସମୟର ବୋଲି ଜଣାପଡୁଛି। ଏଥିରେ ଜଣେ ମହିଳା ଅଧିକାରୀ ପୀଡ଼ିତାଙ୍କଠାରୁ ବୟାନ ରେକର୍ଡ କରୁଛନ୍ତି। ସେ ପୀଡ଼ିତାଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି। ଯେଉଁଠି କେବଳ ସ୍ବୀକୃତିପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ସୁଯୋଗ ମିଳିଥିଲା। ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ୟ ସେଠାରେ ରଖାଯାଇନଥିଲା। ପୁଲିସ ଏହି ବୟାନ ରେକର୍ଡ କରି କୋର୍ଟରେ ଉପସ୍ଥାପନ କରିବାର ଥିଲା। ତାହା କେମିତି ସାମାଜିକ ଗଣମାଧ୍ୟମକୁ ଆସିଲା? ଏହା ଏକ ସମ୍ବେଦନଶୀଳ ଘଟଣା। ଏହା କୌଣସି ପରିସ୍ଥିତିରେ ବାହାରକୁ ଆସିବା କଥା ନୁହଁ। କିଏ ଏହାକୁ ସର୍ବସାଧାରଣ କରିଛି, ତାକୁ ନେଇ ପ୍ରଶ୍ନ ଉଠିଛି। ନାବାଳିକାର ମୃତ୍ୟୁ ଦିନ ହିଁ ପୁଲିସ ଘଟଣା ପଛର ରହସ୍ୟ ଖୋଲିଥିଲା। ନାବାଳିକାଙ୍କ ମୃତ୍ୟ ଘଟଣାରେ ଆଉ କେହି ସାମିଲ ନାହାନ୍ତି ବୋଲି ପୋଲିସ ଟ୍ବିଟ୍ କରି କହିଥିଲା।
ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ଭିଡିଓ ଭାଇରାଲ ପରେ ରାଜ୍ୟ ସରକାର ଏବଂ ଓଡ଼ିଶା ପୁଲିସକୁ ଘେରିଛି ବିଜେଡି। ଭାଇରାଲ ହେଉଥିବା ଭିଡିଓ କେଉଁଠୁ ଆସିଲା ତାହା ପୁଲିସ ସ୍ପଷ୍ଟ କରୁ ଏବଂ ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମ୍ପୃକ୍ତି ରହିଛି ବୋଲି ବିଜେଡି ଅଭିଯୋଗ କରିଛି। ପୁଣିଥରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି।