କନକ ବ୍ୟୁରୋ: ରହସ୍ୟରେ ରହିଗଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ । ଏଯାଏଁ ଜଣାପଡ଼ିଲାନି ଅଭିଯୁକ୍ତ କିଏ? ୨ ସପ୍ତାହ ଧରି ତନାଘନା କରୁଛି ପୁଲିସ । କ୍ରାଇମବ୍ରାଞ୍ଚ ବି ଘଟଣାସ୍ଥଳକୁ ଯାଇ କରୁଥିଲା ତନାଘନା । ରହସ୍ୟରେ ରହିଗଲା ସମ୍ୱେଦନଶୀଳ ମାମଲା । ତଦନ୍ତ ଆଳରେ ଅନ୍ଧାରରେ ବାଡ଼ି ବୁଲାଉଛି କି ପୁଲିସ? କାହିଁକି ଏଯାଏଁ ଅଭିଯୁକ୍ତଙ୍କୁ ଧରିପାରୁନି ପୁଲିସ? ବର୍ତ୍ତମାନ ପୀଡ଼ିତାଙ୍କ ମୃତ୍ୟୁ ପରେ ପୁଲିସ ତଦନ୍ତ ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜୁଲାଇ ୧୯ରେ ପୀଡ଼ିତାଙ୍କୁ ୩ ଜଣ ଦୁର୍ବୃତ୍ତ ଉଠାଇନେଇଥିଲେ । ଭାର୍ଗବୀ ନଦୀ ପଠାକୁ ନେଇ ସେଠାରେ କିରୋସିନ ଢାଳି ଜାଳିଦେବାକୁ ଉଦ୍ୟମ କରିଥିଲେ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଗୋଟିଏ ଦିନ ପରେ ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ଏୟାଲିଫ୍ଟ କରାଯାଇଥିଲା । ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଥିଲେ ପୀଡ଼ିତା । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଥିଲେ । ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ ଡାକ୍ତର । ହେଲେ ଶେଷରେ ନ୍ୟାୟ ନପାଇ ଆଖିବୁଜିଦେଲେ ପୀଡ଼ିତା ।
ସେପଟେ ପୁଲିସ ଆଉ କ୍ରାଇମବ୍ରାଞ୍ଚ ଲଗାତାର ତଦନ୍ତ ଜାରି ରଖିଥିଲେ । ବଳଙ୍ଗାଠାରୁ ଦିଲ୍ଲୀ ସବୁଆଡ଼େ ଆରମ୍ଭ କରିଥିଲେ ଖୋଳତାଡ଼ । ୩ ସପ୍ତାହ ଭିତରେ ୯୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା । ୩୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ ବି ଟ୍ରାକିଂ ହୋଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯାଇଥିଲା ପୁଲିସ । ବଳଙ୍ଗାରେ ମୁଦି ଦୋକାନୀକୁ ବି ଜେରା କରାଯାଇଥିଲା । ପୀଡ଼ିତାଙ୍କ ମୃତ୍ୟୁ ହୋଇଗଲା, ହେଲେ ଏଯାଏଁ କାହାକୁ ଗିରଫ କରିପାରିନି ପୁଲିସ ।