କନକ ବ୍ୟୁରୋ: ନିଜ ଦେହରେ ନିଜେ କିରୋସିନି ଢାଳି ନିଆଁ ଲଗାଇଥିଲେ ବଳଙ୍ଗା ପୀଡ଼ିତା । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପୀଡିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲିପିବଦ୍ଧ କରିଥିଲେ । ଆଉ ଏଥିରେ ପୀଡ଼ିତା କହିଥିଲେ ଯେ, ସେ ନିଜେ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ସୋମବାର ବିଧାନସଭାରୁ ଆସିଛି ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ । ବିଧାୟକ ପ୍ରଶ୍ନ କରିଥିଲେ ଯେ, ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ୩ ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଅଛି ବୋଲି ପୀଡ଼ିତା ବୟାନ ଦେଇଥିଲେ କି? ନା ଅନ୍ୟ କେହି ସାକ୍ଷୀ ନଥିବା ଜାଣି ପୁଲିସ ପ୍ରକୃତ ଅପରାଧୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା?
ଏ ସମ୍ପର୍କରେ ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଜୁଲାଇ ୧୯ ତାରିଖରେ ପୁରୀ ବଳଙ୍ଗା ଥାନାରେ ପୀଡି଼ତାଙ୍କ ମାଆ ଅଭିଯୋଗ କରିଥିଲେ ଯେ, କିଛି ଅଜଣ ଲୋକ ତାଙ୍କ ଝିଅକୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନି ଏବଂ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହି ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ପରେ ପରେ ପୀଡ଼ିତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇ ଦିଆଯାଇଥିଲା ।
ଦିଲ୍ଲୀ ଏମ୍ସରେ ୧୪ ଦିନ କାଳ ଚିକିତ୍ସା ଚାଲିଥିବାବେଳେ, ପୀଡ଼ିତା ଜଣକ ଆଖି ବୁଜିଥିଲେ । ତେବେ ଆଖି ବୁଜିବା ପୂର୍ବରୁ ପୀଡ଼ିତାଙ୍କ ଜମାନବନ୍ଦୀ ଲିପିବଦ୍ଧ କରାଯାଇତିଲା । ଯେଉଁଥିରେ ସେ ନିଜେ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇଥିବା କହିଥିଲେ । ଯାହା ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନ୍ୟପଟେ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କଥାକୁ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ, ଗତ ୧୫ ମାସରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି । ରାଜ୍ୟର ବିଭିନ୍ନ ସରକାରୀ ଏବଂ ଘରୋଇ କ୍ୟାମ୍ପସରେ ଏହି ଆତ୍ମହତ୍ୟା ହୋଇଛି । ତେବେ ରାୟଗଡ଼ାରେ ସର୍ବାଧିକ ୪ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
Follow Us