କନକ ବ୍ୟୁରୋ: ବଳଙ୍ଗା ପୀଡ଼ିତାଙ୍କ ସ୍ଥିତିକୁ ନେଇ ଭୁବନେଶ୍ବର ଏମ୍ସ ମୁଖ୍ୟ ଡାକ୍ତର ଆଶୁତୋଷ ବିଶ୍ବାସ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ତଥ୍ୟ । କହିଛନ୍ତି, ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି । ତା ଶରୀରର ୭୫ ଭାଗ ପୋଡ଼ିଯାଇଛି । ତେବେ ଶ୍ବାସନଳୀ ଏବଂ ଅନ୍ୟ ଅର୍ଗାନ ଗୁଡ଼ିକ କାର୍ଯ୍ୟ କରୁଛି କି ନା ତା ଉପରେ ଡାକ୍ତରୀ ଟିମ୍ ନଜର ରଖିଛି । ତେବେ ଆସନ୍ତା ୪୮ରୁ ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ । 

Advertisment

ଆହୁରି ମଧ୍ୟ କହିଛନ୍ତି, ’ଯଦିଓ ଝିଅ କଥାବାର୍ତ୍ତା କରୁଛି କିନ୍ତୁ  ସେ ମେଣ୍ଟାଲ ଟ୍ରମାରେ ଅଛି । ଭେଣ୍ଟିଲେଟର ଲାଗିନଥିଲେ ବି ତାଙ୍କୁ ଆଇସିୟୁରେ ଅକ୍ସିଜେନରେ ରଖାଯାଇଛି । ପୀଡ଼ିତାଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି  ଏବେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଡାକ୍ତର ବିଶ୍ବାସ । ତେବେ ଆଜି ବିଜେଡ଼ି ପୀଡିତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବାକୁ ଦାବି କରିଥିଲା । ଏହି ବୟାନ ପରେ ଏମ୍ସ ନିର୍ଦ୍ଦେଶକଙ୍କ ଏହି ପ୍ରତିକ୍ରିୟା ଆସିଛି ।  ତେବେ ବାହାରେ ଅଯଥା ଭିଡ଼ ହେଉଥିବାରୁ ପୀଡ଼ିତାଙ୍କ ଚିକିତ୍ସାରେ ବ୍ୟାଘାତ ହେଉଛି ବୋଲି କହିବା ସହ ଏପରି ନକରିବାକୁ ଉଭୟ ଗଣମାଧ୍ୟମ ଓ ବିରୋଧୀଙ୍କୁ ଅପିଲ କରିଛନ୍ତି ଡାକ୍ତର ବିଶ୍ବାସ ।

ବଳଙ୍ଗା ନାବାଳିକା ପୋଡ଼ିବା ଘଟଣାରେ ୧୦ ଜଣଙ୍କୁ ପଚରାଉଚରା କରୁଛି ପୁଲିସ୍‌ । ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଚାଲିଛି ପଚରାଉଚରା । ଅତିରିକ୍ତ ଏସ୍‌ପି କହିଛନ୍ତି ସମସ୍ତ ଦିଗକୁ ତର୍ଜମା କରାଯାଉଛି । କୌଣସି ବ୍ୟକ୍ତିଙ୍କୁ ଅଟକ ରଖାଯାଇନି ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି । AIIMSରେ ଛାତ୍ରୀଙ୍କ ଚାଲିଛି ଚିକତ୍ସା । ଛାତ୍ରୀଙ୍କ ୭୫ ପ୍ରତିଶତ ପୋଡ଼ି ଯାଇଥିବା ଏମ୍ସ ଡାକ୍ତର  କହିଛନ୍ତି । AIIMS ବର୍ଣ୍ଣୱାର୍ଡକୁ ପୀଡ଼ିତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବର୍ଣ୍ଣୱାର୍ଡ ବାହାରେ  ନୋଟିସ୍‌ ଲାଗିଛି । ଏହି ନୋଟିସ୍‌ରେ AIIMS  ବାହାରେ ଗହଳି ନକରିବାକୁ ଅପିଲ କରାଯାଇଛି ।