କନକ ବ୍ୟୁରୋ : ସୋସିଆଲ ମିଡିଆରେ ବୁଲୁଛି ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନ । ଭିଡିଓଟି ତଦନ୍ତ ସମୟର ବୋଲି ଜଣାପଡୁଛି । ଏଥିରେ ଜଣେ ମହିଳା ଅଧିକାରୀ ପୀଡ଼ିତାଙ୍କଠାରୁ ବୟାନ ରେକର୍ଡ କରୁଛନ୍ତି । ସେ ପୀଡ଼ିତାଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି , ଯେଉଁଠି କେବଳ ସ୍ବୀକୃତିପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ସୁଯୋଗ ମିଳିଥିଲା । ହସ୍ପିଟାଲ କର୍ମଚାରୀଙ୍କୁ ମଧ୍ୟ ସେଠାରେ ରଖାଯାଇନଥିଲା । ପୁଲିସ ଏହି ବୟାନ ରେକର୍ଡ କରି କୋର୍ଟରେ ଉପସ୍ଥାପନ କରିବାର ଥିଲା । ତାହା କେମିତି ସାମାଜିକ ଗଣମାଧ୍ୟମକୁ ଆସିଲା ? ଏହା ଏକ ସମ୍ବେଦନଶୀଳ ଘଟଣା । ଏହା କୌଣସି ପରିସ୍ଥିତିରେ ବାହାରକୁ ଆସିବା କଥା ନୁହଁ । କିଏ ଏହାକୁ ସର୍ବସାଧାରଣ କରିଛି ? ତାକୁ ନେଇ ପ୍ରଶ୍ନ ଉଠିଛି । ନାବାଳିକାର ମୃତ୍ୟୁ ଦିନ ହିଁ ପୁଲିସ ଘଟଣା ପଛର ରହସ୍ୟ ଖୋଲିଥିଲା । ନାବାଳିକାଙ୍କ ମୃତ୍ୟ ଘଟଣାରେ ଆଉ କେହି ସାମିଲ ନାହାନ୍ତି ବୋଲି ପୁଲିସ ଟ୍ବିଟ୍ କରି କହିଥିଲା ।

Advertisment

ଜୁଲାଇ ୧୯ ତାରିଖ ଦିନ ପୀଡ଼ିତା ସକାଳୁ ସାଙ୍ଗ ଘରକୁ ଯାଉଥିଲେ ।  ବାଟରେ ନାବାଳିକାକୁ ଉଠାଇନେଇଥିଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଯାଇଥିଲେ । ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳିଦେଇଥିଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ନିଆଁ ଲିଭାଇବା ସହ ନାବାଳିକାକୁ କରିଥିଲେ ଉଦ୍ଧାର । ମତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା ।  ଶେଷରେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।