କନକ ବ୍ୟୁରୋ: ହସ୍ପିଟାଲ ବେଡରେ ୧୫ଦିନର ସଂଘର୍ଷ ପରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ଶବ ବ୍ୟବଛେଦ ପରେ ପୀଡ଼ିତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବିମାନ ଯୋଗେ ଓଡ଼ିଶା ଅଣାଯିବା ପରେ ତାଙ୍କ ପୈତୃକ ଗାଁକୁ ନେଇ ଶେଷକୃତ୍ୟ କରାଯିବ। 

Advertisment

ଦିଲ୍ଲୀ ଏମ୍ସରେ ଜୁଲାଇ ୨୦ରୁ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ଜୀବନ ମୃତ୍ୟୁ ସହ ସଂଘର୍ଷ କରି ହାରିଯବା ପରେ ଶେଷ ଯାତ୍ରାରେ ବଳଙ୍ଗା ନାବାଳିକା। ପୀଡିତାଙ୍କ ପୈତୃକ ଗାଁରେ ତାଙ୍କ ପରମ୍ପରା ଓ ରୀତିନୀତି ଅନୁସାରେ ଶେଷକୃତ୍ୟ ହେବ। ଏଥିପାଇଁ ସମ୍ପର୍କୀୟଙ୍କ ପକ୍ଷରୁ ପ୍ରସ୍ତୁତି ବି ଶେଷ ହୋଇଛି। କବରଖୋଳା ବି ସରିଛି । 

ହସ୍ପିଟାଲ ବେଡରେ ୧୫ଦିନ ଧରି ମୃତ୍ୟୁ ସହ ଲଢ଼େଇ କରି କରି ନାବାଳିକା ଜଣଙ୍କ ସବୁ ଦିନ ପାଇଁ ନୀରବି ଯାଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ତାଙ୍କୁ ନ୍ୟାୟ ମିଳିଲାନି। ପ୍ରଥମ ଦିନରୁ ତାଙ୍କୁ ତିନି ଜଣ ଜାଳି ଦେଇଥିବା ପୀଡ଼ିତା କହିଥିଲେ। ପୀଡ଼ିତାଙ୍କ ବୟାନ ଆଧାରରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ତିନି ଦୁବୃର୍ତ୍ତ ଝିଅର ମୁହଁରେ ରୁମାଲ ବାନ୍ଧି ଅଚେତ କରି କିରୋସିନ୍ ଢ଼ାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଦର୍ଶାଯାଇଥିଲା ।  ପୁଲିସ ସେହି ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଡିଜି ନିଜେ ଯାଇ ପରିବାର ଲୋକଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚୁରା କରିଥିଲେ । ଭୁବନେଶ୍ବର ଏମ୍ସରେ ମାଜିଷ୍ଟ୍ରେଟଙ୍କ ସାମନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ତାପରେ ଦିଲ୍ଲୀ ଏମ୍ସରେ ତଦନ୍ତକାରୀ ପୁଲିସ ଅଧିକାରୀ ବୟାନ ରେକର୍ଡ କରିଥିଲେ । କିନ୍ତୁ ଏବେ ପୁଲିସ କହିଛି ଏହି ଘଟଣାରେ କାହାର ସମ୍ପୃକ୍ତି ଥିବା ଜଣାପଡିନାହିଁ । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କିନ୍ତୁ କିଛି ସ୍ପଟ କରି ନାହାନ୍ତି କ୍ରାଇମବ୍ରାଂଚ ଡିଜି । 

ସୋସିଆଲ ମିଡିଆରେ ପୁଲିସର ପୋଷ୍ଟ ଓ କ୍ରାଇମବ୍ରାଂଚର ନୀରବତା ସନ୍ଦେହକୁ ବଢ଼ାଇଛି। ପୀଡ଼ିତାଙ୍କ ମୃତ୍ୟୁ ପରେ ଅଚାନକ ପୁଲିସ କାହିଁକି ଏମିତି ପୋଷ୍ଟ କଲା ତାକୁ ନେଇ ପ୍ରଶ୍ନ ଉଠିଛି। ବରିଷ୍ଠ ଆଇନଜୀବୀଙ୍କ ମତରେ ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଇନଗତ ଦୃଷ୍ଟିରୁ ବେଶ୍ ଗୁରତ୍ବ ରଖିଥାଏ। କୋର୍ଟରେ ଏହାକୁ ସବୁଠାରୁ ଗ୍ରହଣଯୋଗ୍ୟ ପ୍ରମାଣ ବୋଲି କୁହାଯାଏ। ପୁଲିସ ଯଦି ଏଥିରେ କିଛି ଏପଟ ସେପଟ କରିବ ତାହେଲେ ଅଡୁଆରେ ପଡିବ। 

ଏବେ ପ୍ରଶ୍ନ ଉଠୁଛି, କାହିଁକି ନାବାଳିକା ପୋଡ଼ିବା ପଛର ରହସ୍ୟ ଉପରୁ ପରଦା ହଟାଇ ପାରିଲାନି ପୁଲିସ? 
ପ୍ରମାଣ ପାଇବା ପରେ କାହାକୁ ଡରିଗଲା କି ପୁଲିସ? 
କେଉଁଠି ଝୁଣ୍ଟିଲା କ୍ରାଇମବ୍ରାଞ୍ଚ୍?