କନକ ବ୍ୟୁରୋ: ଗତ ଜୁଲାଇ ୨୬ ତାରିଖରେ ବଳଙ୍ଗାରେ ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଏହାପରେ ପୀଡ଼ିତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତକାଲି ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଏହାପରେ ପୀଡ଼ିତାଙ୍କ ଗାଁ ବାୟାବରରେ ଶୋକ ଓ ଭୟର ବାତାବରଣ ରହିଛି । ଏବେ ପୀଡ଼ିତାଙ୍କ ପରିବାର ଲୋକେ କୁଆଡ଼େ ତାହା କହି ପାରୁନାହାନ୍ତି ଗାଁ ଲୋକେ । ଗାଁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।
ଆଜି ଓଡ଼ିଶା ଆସିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର । ଦିଲ୍ଲୀ ଏମ୍ସରେ ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହାପରେ ଦିଲ୍ଲୀରୁ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯିବ । ଅପରାହ୍ଣରେ ପୀଡ଼ିତାଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିପାରେ । ଏହା ପରେ ବିମାନ ବନ୍ଦରରୁ ବଳଙ୍ଗା ସ୍ଥିତ ଗାଁକୁ ନିଆଯିବ । ସେଠାରେ ସମସ୍ତ ପ୍ରକ୍ରିୟା ଶେଷ କରାଯିବ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟା ୬ଟା ୨୨ରେ ମୃତ୍ୟ ହୋଇଛି ।
ସେପଟେ ଅନ୍ତିମ ସଂସ୍କାର ପାଇଁ ପୀଡ଼ିତାଙ୍କ ଗାଁ ବଳଙ୍ଗା ବାୟାବରରେ କବର ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟ ସଂପର୍କୀୟ ଓ ସାହି କବର ଖୋଳୁଛନ୍ତି । ପୀଡ଼ିତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା । ତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଘରେ ତାଲା ଝୁଲୁଛି । ଗତକାଲିଠୁ ଘରେ କେହିନଥିବା ଜଣାପଡିଛି । ୧୪ ଦିନ ପରେ ହଠାତ୍ ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହା ନ୍ତି। ବାୟାବରର ଗୋପାଳପୁର ପଡ଼ା ସ୍ତବ୍ଧ ହୋଇଯାଇଛି ।