କନକ ବ୍ୟୁରୋ: ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣାରେ ତଦନ୍ତକୁ ଜୋରଦାର କରିଛି ପୋଲିସ। ଏକାସଙ୍ଗେ ତିନିଟି ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ତଦନ୍ତ କରୁଛନ୍ତି । ଗୋଟିଏ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚିଥିବା ବେଳେ ଅନ୍ୟ ଏକ ଟିମ୍ ପୀଡ଼ିତାଙ୍କ ସାଙ୍ଗଙ୍କ ଘରେ ପହଞ୍ଚିଛି । ସେହିପରି ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପୋଲିସର ସ୍ପେଶାଲ ଟିମ୍ ପୀଡ଼ିତାଙ୍କ ଘରେ ଛାନଭିନ୍ କରିଛି। ବଳଙ୍ଗା ବଜ଼ାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରିଛି ପୋଲିସ ।
ଦିନକ ତଳେ ରୁପା ମୁଦି ମିଳିଥିଲା । ତେଣୁ କେଉଁଠୁ ଆସିଥିଲା ରୁପା ମୁଦି, ସେଥିପାଇଁ ଅଳଙ୍କାର ଦୋକାନୀଙ୍କୁ ପଚରାଉଚରା କରାଯାଇଛି। ପୀଡିତା ନିଜ ଘର ଠାରୁ ନଦୀ ବନ୍ଧ ଆଡ଼କୁ ଯାଉଥିବାର ଲୋକେ ଦେଖିଛନ୍ତି । ତେବେ କିରୋସିନ ଆସିଲା କୋଉଠୁ, ତା ଉପରେ ସ୍ପେଶାଲ ଟିମ ଅନୁଧ୍ୟାନ କରୁଛି। ସେପଟେ ଦୁଇ ଦିନ ହେଲାଣି ପୁଲିସ ତଦନ୍ତ କରୁଛି କିନ୍ତୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିନି । କିଏ ଓ କାହିଁକି ନାବାଳିକାଙ୍କୁ ଜାଳିଦେଲେ, ସେ ରହସ୍ୟ ଉପରୁ ପରଦା ହଟାଇ ପାରିନି ପୁଲିସ। ଗତକାଲି ଘଟଣାସ୍ଥଳକୁ ଯାଇଥିଲେ ସାଇଣ୍ଟିଫିକ୍ ଟିମ୍ ।