କନକବ୍ୟୁରୋ :  ସେଦିନ ଥିଲା ଜୁଲାଇ ୧୯ ତାରିଖ, ଶନିବାର ।  ବଳଙ୍ଗା ପୀଡ଼ିତାଙ୍କ ଦେହରେ ୩ ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା ।   ଏହାପରେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଥିଲେ  ।  ଏମ୍‌ସ ବର୍ଣ୍ଣ ୟୁନିଟରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତଦାରଖରେ ଚିକିତ୍ସା ହୋଇଥିଲା।  ତେବେ ଉଭୟ ବିଜେଡି ଓ କଂଗ୍ରେସ ରାତିସାରା ଏମ୍‌ସ ପରିସରରେ ନାରାବାଜି କରିବା ପରେ ୨୦ ତାରିଖରେ ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ କରାଯାଇଥିଲା ।

Advertisment

୨୫ ତାରିଖରେ ଦିଲ୍ଲୀ ଏମ୍‌ସ ଯାଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ  ।  ପୁଣିଥରେ ୨୮ ତାରିଖରେ ଦିଲ୍ଲୀ ଯାଇ ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ବୟାନ ତୃତୀୟଥର ପାଇଁ ରେକର୍ଡ କରିଥିଲେ  ।  ଏହାର ଭିଡିଓଗ୍ରାଫି ବି କରାଯାଇଥିଲା ।  ସେହିଦିନ ପୀଡିତାଙ୍କ ବାପା ଓ ପିଉସୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିଲା   ।  ୨୮ ତାରିଖରେ ପୀଡିତାଙ୍କର ଦିଲ୍ଲୀ ଏମ୍ସରେ ତୃତୀୟ ଅସ୍ତ୍ରୋପଚାର ହୋଇଥିଲା । ଅଗଷ୍ଟ ୨ ତାରିଖରେ  ଦିଲ୍ଲୀ ଏମ୍‌ସରେ ପୀଡ଼ିତା ଆଖି ବୁଜିଛନ୍ତି  । 

ବଳଙ୍ଗା ମାମଲାର ଘଟଣାକ୍ରମ
ଜୁଲାଇ ୧୯ରେ ବଳଙ୍ଗାରେ ନାବାଳିକାଙ୍କୁ ପୋଡ଼ିଦେଲେ
୩ ଜଣ ଦୁର୍ବୃତ୍ତ ଜାଳିଦେଇଥିବା ଅଭିଯୋଗ
ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରିଥିଲେ ପୀଡ଼ିତା
ଭୁବନେଶ୍ବର ଏମ୍‌ସରେ ଗୋଟିଏ ଦିନ ଚିକିତ୍ସା କରାଯାଇଥିଲା
ପରେ ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ ହୋଇଥିଲେ ପୀଡ଼ିତା
ଘଟଣାସ୍ଥଳ ପରିଦର୍ଶନ କରିଥିଲେ ପୁଲିସ ଡିଜି
କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ଛାନ୍‌ଭିନ୍‌ କରିଥିଲେ
ପୀଡ଼ିତାଙ୍କ ସାଙ୍ଗ ଓ ପଡ଼ୋଶୀଙ୍କୁ ପଚରାଉଚରା କରାଯାଇଥିଲା
୨ ସପ୍ତାହ ଭିତରେ ୯୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା ସରିଛି
୩୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ୍ ଟ୍ରାକିଂ ବି ହୋଇଛି
ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯାଇଥିଲା ପୁଲିସ
୩ ଥର ଏମ୍‌ସରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି
ବଳଙ୍ଗାରେ ଗହଣା ଦୋକାନୀଙ୍କୁ ମଧ୍ୟ ଜେରା କରାଯାଇଥିଲା
ଆଜି ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ

ସେପଟେ ଓଡ଼ିଶା ପୁଲିସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦେଇଥିବା ସୂଚନାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି ।  ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବଳଙ୍ଗା ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ  ।  ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଛି । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି  ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ନାବାଳିକା ପୋଡ଼ି ଘଟଣାରେ କାହାର ସମ୍ପୃକ୍ତି ନାହିଁ । ଯେଉଁ ତିନିଜଣ ଅଭିଯୁକ୍ତଙ୍କ କଥା କୁହାଯାଉଥିଲା ତାହା ମିଛ । ତେବେ ଅଭିଯୁକ୍ତ କିଏ ? ପୀଡ଼ିତା କ’ଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ ? ନା କେହି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ?  ତଦନ୍ତର ଶେଷ ପର୍ୟ୍ୟାୟରେ ଏହି ସବୁ ଲୋକଙ୍କୁ ପୁଲିସ ଖୋଜିବ ବୋଲି କୁହାଯାଉଛି ।