କନକ ବ୍ୟୁରୋ: ବଳଙ୍ଗା ପୀଡ଼ିତାଙ୍କ ଘର ପାଖରୁ ୩ ଜଣଙ୍କୁ ଉଠାଇ ନେଲା ପୁଲିସ । ୩ ଜଣଙ୍କୁ ଜୋରଦାର ଜେରା କରାଯାଉଥିବା ସୂଚନା । ବଳଙ୍ଗା ଘଟଣାକୁ ୫ ଦିନରେ ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ କରୁଛି ତନାଘନା । ସେପଟେ ପରିବାର ଲୋକ ପୀଡିତାଙ୍କୁ ପ୍ରଥମଥର ଭେଟିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କୁ ୫ ଦିନ ପରେ ଭେଟିଲେ ସମ୍ପର୍କୀୟ । ପୀଡ଼ିତା ସୁସ୍ଥ ଥିବା ପରିବାର ଲୋକଙ୍କ ସୂଚନା। ମୁହଁ ସାମାନ୍ୟ ଫୁଲି ଯାଇଛି । ହେଲେ ସେ କାହା ସହ କଥା ହେଉ ନଥିବା ପରିବାର ଲୋକଙ୍କ ସୂଚନା ।  

Advertisment

ପୀଡ଼ିତାଙ୍କ ପୁଣି ବୟାନ ରେକର୍ଡ କରିବାକୁ ଦିଲ୍ଲୀ ଏମ୍‌ସକୁ ଅନୁରୋଧ କରିପାରେ ପୁରୀ ପୁଲିସ । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ଡାକ୍ତରୀ ଟିମ୍‌ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଅଭିଯୁକ୍ତଙ୍କୁ ଏଯାଏ ଧରାଯାଇନଥିବାରୁ ପୀଡ଼ିତାଙ୍କ ମାଆ ପୁଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି, ଘଟଣାସ୍ଥଳରୁ ମିଳିଥିବା ରୁପାମୁଦି ତାଙ୍କ ଝିଅର ନୁହେଁ ।  

ଏବେ ଘଟଣାସ୍ଥଳରେ ତଦନ୍ତକୁ ଜୋରଦାର କରିଛନ୍ତି ତଦନ୍ତକାରୀ ଏଜେନ୍ସି । କ୍ରାଇମବ୍ରାଞ୍ଚର ସହଯୋଗ ଲୋଡିଛି ପୁରୀ ପୁଲିସ ପ୍ରଶାସନ । ତେଣୁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ବଳଙ୍ଗା ଥାନାରେ ରହି ତଦନ୍ତ କରୁଛି । ଏହାଛଡା ଗୁଇନ୍ଦା ବିଭାଗର ସ୍ପେଶାଲ ସ୍କ୍ବାଡ୍‌ ବି ଅଛି । ଥାନା ଓ କ୍ରାଇମସ୍ପଟ୍‌କୁ ଯାଇ ତଦନ୍ତ କରୁଛନ୍ତି ତଦନ୍ତକାରୀ ଏଜେନ୍ସି ।