କନକ ବ୍ୟୁରୋ : ବଳଙ୍ଗା ପୀଡ଼ିତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ଷଡ୍ଯନ୍ତ୍ର ଦିଗକୁ ତଦନ୍ତରେ ପ୍ରାଥମିକତା ଦିଆଯାଇଛି । କେଉଁଠୁ କିରୋସିନ ଆସିଲା ଅନୁଧ୍ୟାନ କରାଯାଉଛି, ସାଇବର ଏକ୍ସପର୍ଟମାନଙ୍କର ମଧ୍ୟ ସହଯୋଗ ନିଆଯାଇଛି । ଏପର୍ଯ୍ୟନ୍ତ କୌଣସି ସିସିଟିଭି ଫୁଟେଜ ମିଲିନି କି କେହି ଅଟକ ନାହାନ୍ତି । କେବଳ ପୀଡ଼ିତାଙ୍କ ସମ୍ପର୍କୀୟ ଓ ସାଙ୍ଗଙ୍କ ବୟାନ ରେକର୍ଡ କରାଯାଉଛି । ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ଥାନାରେ ଏଫଆଇଆର ଦିଆଯାଇଥିବା ବେଳେ ଏମ୍ସ ଭୁବନେଶ୍ବରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତା ମଧ୍ୟ ବୟାନ ଦେଇଛନ୍ତି । ସମସ୍ତ ଦିଗ ଉପରେ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ଏମ୍ସ ଭୁବନେଶ୍ବରରେ ଭର୍ତ୍ତି ଥିବା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକାର ଅବସ୍ଥା ଗୁରୁତର ରହିଛି । ତାଙ୍କର ଶରୀର ୭୦ ରୁ ୭୫ ପ୍ରତିଶତ ଜଳିଯାଇଛି । ଝିଅର ମାନସିକ ଅବସ୍ଥା ଭଲ ନାହିଁ ତେଣୁ ଗୁରୁତ୍ବପୂର୍ଣ୍ଣ ଚିକିତ୍ସାର ଆବଶ୍ୟକତା ରହିଛି । ନାବାଳିକାର ଭଲ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ବରର ମେଡିକାଲ ଟିମ୍ ଉଦ୍ୟମ କରୁଛନ୍ତି । ନାବାଳିକା ଜଣକ ଆଗାମୀ ୩୬ ଘଣ୍ଟା ଅବଜରଭେସନ୍ରେ ରହିବେ । ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ଦିଆଯାଉଛି । ବିଶେଷଜ୍ଞ ଡାକ୍ତର ସଂଜୟ ଗିରିଙ୍କ ନେତୃତ୍ବରେ ଝିଅଟିର ଚିକିତ୍ସା ଜାରି ରହିଛି ।
ଏପଟେ ବଳଙ୍ଗା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଘଟଣାରେ ପୁଲିସ ଆମୂଳଚୂଳ ତଦନ୍ତ ଜାରି ରଖିଛି । ଯଦି ତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ପରିସ୍ଥିତି ଅନୁକୂଳ ହୁଏ ଏବଂ ଏଥିପାଇଁ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଅନୁମୋଦନ ଦିଅନ୍ତି, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଲ୍ଲୀ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଭାବରେ ଧରା ପଡ଼ିବେ । ପୁଲିସ ଟିମ୍ ଅପରେସନ ମୋଡରେ ଅଛନ୍ତି ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ କରାଯିବ ।
କିରୋସିନ ଢାଳି ଦୁର୍ବୃତ୍ତ ନିଆଁ ଲଗାଇ ଦେବା ପରେ ବଳଙ୍ଗା ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ସେ ଏବେ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ରହିଛି । ଏନେଇ ଭୁବନେଶ୍ବର ଏମସ୍ ନିର୍ଦ୍ଦେଶକ କହିଛନ୍ତି , ପୀଡ଼ିତା ଜଣଙ୍କର ଶରୀରର ୭୨ରୁ ୭୫ ପ୍ରତିଶତ ପୋଡ଼ିଯାଇଛି । ଚର୍ମ ଜଳିଯାଇଥିବାରୁ ସଂକ୍ରମଣ ଭୟ ଅଛି । ଛାତ୍ରୀ ଜଣଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଛି । ସେ ଭେଣ୍ଟିଲେଟରରେ ନାହାନ୍ତି । ତାଙ୍କୁ ଅକ୍ସିଜେନ ସର୍ପୋଟରେ ରଖାଯାଇଛି । କିନ୍ତୁ ପୀଡ଼ିତା କଥାବାର୍ତ୍ତା କରୁଛନ୍ତି । ଏହାସହ ମାନସିକ ଓ ଶାରୀରିକ ସ୍ତରରେ ଆଘାତ ଲାଗିଛି । ତାଙ୍କୁ ଏୟାରଲିଫ୍ଟ କରିବା ସମ୍ଭବପର ନୁହେଁ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ସେପଟେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୮୦ ବିଏନଏସରେ ବୟାନ ରେକର୍ଡ କରାଯାଇଛି ।