କନକ ବ୍ୟୁରୋ: ନାବାଳିକା ନିଖୋଜ ରହସ୍ୟ । ଯାଜପୁର ଅଳକୁଣ୍ଡ ଅଞ୍ଚଳର ବଳଦେବଜୀଉ ସେବାଶ୍ରମରୁ ୨୭ ଜଣ ନାବାଳିକା ନିଖୋଜ ନେଇ ଅଭିଯୋଗ ହୋଇଛି । ମାଳମାଳ ଅଭିଯୋଗ ଆସିବା ପରେ ପୋଲିସ ଓ ପ୍ରଶାସନର ଚଢାଉ ପରେ ସେବାଶ୍ରମକୁ ବନ୍ଦ କରାଯାଇଛି । କିନ୍ତୁ ସେବାଶ୍ରମରେ ଥିବା ନାବାଳିକାଙ୍କ ପତ୍ତା ମିଳୁନି । ତେବେ ଖୋଜି ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି ।
ଯାଜପୁର ଅଳକୁଣ୍ଡ ଅଞ୍ଚଳର ବଳଦେବଜୀଉ ସେବାଶ୍ରମ । ଯେଉଁ ସେବାଶ୍ରମ ଏବେ କେବଳ ବିବାଦରେ ଛନ୍ଦି ହୋଇନି ବରଂ ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଛି । କାରଣ ଏହି ସେବାଶ୍ରମରୁ ୨୭ ନାବାଳିକା ନିଖୋଜ ଥିବାର ଅଭିଯୋଗ ହୋଇଛି । ୩୦ ବର୍ଷରୁ ଅଧିକ ସମୟ ହେବ ଏହି ସେବାଶ୍ରମରେ ରହୁଥିଲେ ନାବାଳିକା । ତେବେ ମାଳମାଳ ଅଭିଯୋଗ ଆସିବା ପରେ ଏହି ସେବାଶ୍ରମ ଉପରେ ବାଜିଥିଲା ବେଆଇନ ଟ୍ୟାଗ୍ । ପରେ ପୁଲିସ ଓ ପ୍ରଶାସନର ଚଢାଉ ପରେ ସେବାଶ୍ରମକୁ ବନ୍ଦ କରାଯାଇଛି । କିନ୍ତୁ ସେବାଶ୍ରମରେ ଥିବା ନାବାଳିକାଙ୍କ ପତ୍ତା ମିଳୁନି । ଯାହାକୁ ନେଇ ହାଇକୋର୍ଟରେ ମାମଲା ପହଞ୍ଚିବା ପରେ ନିଖୋଜ ନାବାଳିକାଙ୍କୁ ମେ ୧୧ରେ କୋର୍ଟରେ ହାଜର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବିଞ୍ଝାରପୁରର ସୁଦୀପ୍ତ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ସୁଦୀପ୍ତ ସାହୁ ଜେଲରେ ଥିବା ବେଳେ ୨ ଝିଅ ସେବାଶ୍ରମରେ ରହୁଥିଲେ। ତେବେ ଜେଲରୁ ଫେରିବା ପରେ ଝିଅଙ୍କୁ ଦେଖା କରିବାକୁ ଚାହିବାରୁ ବାଧା ଦେଇଥିଲେ ସେବାଶ୍ରମ ପରିଚାଳକ । ପରେ ସେବାଶ୍ରମର ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଜାଣିବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୁଦୀପ୍ତ । ଖୋଳତାଡ ପରେ ସେବାଶ୍ରମର ରେକର୍ଡପତ୍ର ଠିକ୍ ନଥିବା ଜାଣିବାକୁ ମିଳିଥିଲା । ଯାହା ଅନେକ ପ୍ରଶ୍ନକୁ ଜନ୍ମ ମଧ୍ୟ ଦେଇଥିଲା ।
ସେବାଶ୍ରମର କାଗଜପତ୍ର ଠିକ୍ ନଥିବା ବେଳେ ନାବାଳିକାଙ୍କୁ ଖୋଜିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । କିନ୍ତୁ ପ୍ରଶ୍ନ ଉଠୁଛି, ପଞ୍ଜିକରଣ ଶେଷ ହୋଇଥିଲେ ମଧ୍ୟ କିଭଳି ବେଆଇନ ଭାବେ ନାବାଳିକାଙ୍କୁ ରଖିଥିଲା ସେବାଶ୍ରମ? ବେଆଇନ ଭାବେ ସେବାଶ୍ରମ ନାବାଳିକାଙ୍କୁ ରଖିଥିଲେ ମଧ୍ୟ କାହିଁକି ପ୍ରଶାସନ ନେଉନଥିଲା କାର୍ଯ୍ୟାନୁଷ୍ଠାନ?