କନକ ବ୍ୟୁରୋ : ଉପରମୁଣ୍ଡରେ ବର୍ଷା ସମ୍ଭାବନା ଭିତରେ ହୀରାକୁଦରୁ ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଅନ୍ୟପଟେ ବୈତରଣୀ ଓ ଦେଓ ନଦୀ ଫୁଲିବା ହେତୁ ଉତ୍ତର ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି । ଏସବୁ ଭିତରେ ସରକାର ସାଥୀରେ ଥିବା କହି ଆଶ୍ୱସ୍ତ କରିଛନ୍ତି ମନ୍ତ୍ରୀ ।

Advertisment

ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏବେ ଫୁଲୁଛି ରାଜ୍ୟର ବିଭିନ୍ନ ନଦୀ । ଉତ୍ତରରୁ ଉପକୂଳ, ଦୁର୍ଦ୍ଦଶା ବଢାଇଲାଣି ବନ୍ୟାଜଳ । ଏସବୁ ଭିତରେ ହୀରାକୁଦ ଜଳଭଣ୍ଡାରରୁ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ହୀରାକୁଦର ବନ୍ୟାଜଳ ଆସନ୍ତାକାଲି ମୁଣ୍ଡଳିରେ ପହଞ୍ଚିବ । ସାଢେ ୪ ଲକ୍ଷ କ୍ୟୁସେକ୍ ପାଣି ମୁଣ୍ଡଳିରେ ପହଞ୍ଚିବ । ଏବେ ତଳମୁଣ୍ଡରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଉପରମୁଣ୍ଡରେ ପୁଣି ବର୍ଷା ହେଲେ ହୀରାକୁଦ ଗେଟ୍ ଖୋଲିବ । ଯାହା ତଳମୁଣ୍ଡରେ ବନ୍ୟାସ୍ଥିତି ସୃଷ୍ଟି କରିପାରେ ।

ଲଗାଣ ବର୍ଷା ପରେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି । ଶିମିଳିପାଳ ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଦେଓ ନଦୀର ଜଳସ୍ତର ବଢ଼ିଛି । କଇଁସାରିରେ ଥିବା ଜାମୁଘାଟ ପୋଲ ଉପରେ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ଉଦଳା-ବାଲେଶ୍ୱର ସମେତ ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୈତରଣୀ ଫୁଲିବା ହେତୁ ଆଖୁଆପଦା ନିକଟରେ ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ ନଦୀକୂଳିଆ ଲୋକଙ୍କ ମନରେ ଭୟ ପଶିଛି ।

ବନ୍ୟା ଜଳ ବୃଦ୍ଧି ଭିତରେ ଯାଜପୁର ନିଜାମପୁରରେ ୨୦ରୁ ୩୦ ଫୁଟ୍ ଯାଏଁ ଧସିଛି ଆଡିବନ୍ଧ । ବାଲି ବସ୍ତା ପକାଇ ଘାଇ ମରାମତି କରାଯାଉଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକ । ଲଗାଣ ବର୍ଷା ପାଇଁ ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

ରାଜ୍ୟରେ ବନ୍ୟା ସ୍ଥିତି ଭିତରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି । ରାଜ୍ୟବାସୀଙ୍କ ସହ ସରକାର ଅଛନ୍ତି । ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁରେଶ ପୂଜାରୀ । ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷା ଲାଗି ରହିବ । ଉପରମୁଣ୍ଡରେ ମଧ୍ୟ ବର୍ଷା ସମ୍ଭାବନା ଅଧିକ ରହିଛି । ଯାହା ବନ୍ୟା ସ୍ଥିତିକୁ ଆହୁରି ବୃଦ୍ଧି କରିପାରେ ।