କନକ ବ୍ୟୁରୋ : ବଢୁଛି ବୈତରଣୀ । ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି ବୈତରଣୀ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିପଦ ସଂକେତ ଉପରେ ବନ୍ୟା ପାଣି ପ୍ରଭାବିତ ହେଉଛି । ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ୧୮.୫୦ ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟାପାଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସେପଟେ ପୁଣି ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ୫ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ନଦୀର ଜଳସ୍ତର ବଢ଼ିବା ଆଶଙ୍କା ରହିଛି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ଷଷ୍ଠ ଥର ପାଇଁ ବନ୍ୟା ସମ୍ଭାବନା ଦେଖାଦେଇଛି । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ନଦୀର ଗାଲୁଡିହ ବ୍ୟାରେଜରୁ ପାଣି ଛଡ଼ା ଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ରାଜଘାଟ ନିକଟରେ ବନ୍ୟା ଜଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଇଛି । ତେଣୁ ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ବନ୍ୟା ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଜଳସ୍ତର ବଢ଼ିଲେ ମଧ୍ୟ ବିପଦ ସଂକେତ ଅତିକ୍ରମ କରିବା ସମ୍ଭାବନା ନାହିଁ ବୋଲି ଜଳସେଚନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାଣି ଘେରରେ କେନ୍ଦୁଝର ସହର । ପ୍ରବଳ ବର୍ଷା ହେବା ଫଳରେ କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ୱାର୍ଡର ସାହି , ବସ୍ତି ଓ କଲୋନୀରେ ୱାଟର ଲଗିଙ୍ଗ ହେବା ଫଳରେ ରାସ୍ତା ଘାଟରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାଲକିପାତଳା,କୁଲାଡେରା ମାର୍ଗ , ସ୍ପଞ୍ଜ କଲୋନୀ , ବଳଦେବଜୀଉ କଲୋନୀ , ଇନକମଟ୍ୟାକ୍ସ ଅଫିସ ଗଳି ଆଦି ଅଞ୍ଚଳରେ ପାଣି ଜମିଛି । ସହରବାସୀଙ୍କ ଅଭିଯୋଗ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସମସ୍ୟା ହେଉଛି । ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି, ଘରେ ଘରେ ବି ପାଣି ପଶିଛି ।
ସେମିତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ପଂଚାୟତ ଡିହସାହି ଗାଁ ଜଳବନ୍ଦୀ । ପ୍ରାୟ ୫ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ହଇରାଣ ହେଉଛନ୍ତି ଗ୍ରାମବାସୀ । କେନାଲ ବନ୍ଧରେ ଘଳିଆ ସୃଷ୍ଟିହେବା ଫଳରେ କେନାଲପାଣି ଗାଁକୁ ପଶି ଆସିଲା । ଅନ୍ୟପଟେ ବର୍ଷା ପାଣି ନିସ୍କାସିତ ହୋଇନପାରି ପୂରା ଗାଁ ଜଳବନ୍ଦୀ ହୋଇଥିବା ଜଣାପଡ଼ିଛି । ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଘର ଚାରିପଟରେ ପାଣି ଲହଡ଼ି ମାରୁଛି । ପାଣିରେ ପଶି ଯିବା ଆସିବା କରୁଛନ୍ତି ଗ୍ରାମବାସୀ । ଗାଁରେ ଥିବା ଡିହସାହି ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ରରେ ପାଣି ଲହଡ଼ି ମାରୁଛି । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଣିରେ ପଶି ବିଦ୍ୟାଳୟକୁ ଯିବାଆସିବା କରୁଛନ୍ତି। ଗାଁ ଚାରିପଟେ ପାଣି ଜମିଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ପାଣିରେ ପଶି ଯିବା ଆସିବା କରୁଥିବାରୁ ଗୋଡ଼ହାତ କୁଣ୍ଡେଇ ହେଉଛି । ସାପ ବେଙ୍ଗ ଘର ଭିତରକୁ ପଶି ଆସୁଥିବା ଅଭିଯୋଗ ହୋଇଛି ।