କନକ ବ୍ୟୁରୋ: ଦିନରେ ବାବା ରାତିରେ ଚୋର। ଦିନରେ ହଳଦିଆ ରଙ୍ଗର ଧୋତି ଗାମୁଛାରେ ବାବା ସାଜନ୍ତି । ଦିନରେ ବାବା ବେଶରେ ବୁଲି ରେକି କରନ୍ତି । ଆଉ ରାତିରେ ବିଭିନ୍ନ ଘରେ ପଶି ବୁଲାନ୍ତି କଳା କନା । ଗେରୁଆ ବସ୍ତ୍ର ଆଢୁଆଳରେ ଲୁଚିଥିବା ଏଭଳି ଚୋରକୁ କାବୁ କରିଛି ବୈପାରିଗୁଡା ପୁଲିସ । ବୈପାରିଗୁଡା ଅଞ୍ଚଳରେ କିଛି ଦିନ ହେଲା ଜଣେ ହଳଦିଆ ରଙ୍ଗର ଧୋତି ଗାମୁଛାରେ ନିଜକୁ ହଳଦିଆ ବାବା କହି, ବୁଲୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ଏହି ହଳଦିଆ ବାବାର ଅସଲି ଚେହେରା ସାମ୍ନାକୁ ଆସିଛି ।
ଆଜି ସକାଳେ ପ୍ରବୀଣ ପାତ୍ର ନାମକ ଜଣେ ବ୍ୟକ୍ତି ନିଜ ଲୁହା ସାମଗ୍ରୀ ବୈପାରିଗୁଡାର ନବ ନିର୍ମିତ ଜର୍ଜ କୋର୍ଟ ହଲ୍ ନିକଟରେ ପଡ଼ିଥିବା ଦେଖିଥିଲେ। ପ୍ରବୀଣଙ୍କୁ ଦେଖି ହଳଦିଆ ବାବା ହଠାତ୍ ଜର୍ଜ କୋର୍ଟ ହଲରୁ ବାହାରି ଦୌଡି ପଳେଇଥିଲା । ସନ୍ଦେହ ହେବାରୁ ପ୍ରବୀଣ ପାତ୍ର ପୁଲିସକୁ ଖବର ଦେଇଥିଲେ। ପୁଲିସ ଜର୍ଜ କୋର୍ଟ ହଲ୍ ନିକଟରେ ପହଞ୍ଚି ତଦନ୍ତ କରିବାରୁ ହଲ୍ ଭିତରେ ବିଭିନ୍ନ ପ୍ରକାରର ଚୋରି ସାମଗ୍ରୀ ଥିବା ଦେଖିବାକୁ ପାଇଥିଲେ। ଚୋରି ସାମଗ୍ରୀ ମଧ୍ୟରେ, ଦୁଇଟି ଫ୍ୟାନ, ସୋଲାର ବ୍ୟାଟେରୀ, ଲୁହା ଝୋଳେଇ ମେସିନ୍ ଏବଂ ବିଭିନ୍ନ ପ୍ରକାରର ଲୁହା ସାମଗ୍ରୀ ରହିଥିଲା। ସେଠାରୁ କର୍ଣ୍ଣାଟକର ପରିଚୟପତ୍ର ଥିବା ଗୋଟିଏ କାର୍ଡ ଜବତ କରିଛି ପୁଲିସ । ବୈପାରିଗୁଡା ପୁଲିସ ହଳଦିଆ ବାବାକୁ ବଜାରରୁ କାବୁ କରି ଥାନାକୁ ନେଇ ପଚରାଉଚରା କରୁଛି ।