କନକ ବ୍ୟୁରୋ : ଅସହାୟ ତଥା ଗରିବଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବାସହୀନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ସାମିଲ କରିବା ସହ ଆବାସ ଗୃହ ପ୍ରଦାନ କରାଯାଉଛି । ହେଲେ କେମିତି ହେଉଛି ଏହାର କାର୍ଯ୍ୟାନ୍ୱୟନ ? ବୈପାରିଗୁଡା ବ୍ଲକର କୋଡ଼ିଏଟି ପଞ୍ଚାୟତର ୮ ଶହରୁ ଉର୍ଦ୍ଧ୍ୱ ପରିବାର ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ ଅଧା ଗଢ଼ାରେ ରହିଛି ଘର ।

Advertisment

ଅଧିକ ପଢ଼ନ୍ତୁ : ଆଗାମୀ ୨୦୨୭ ଜନଗଣନାବେଳେ ଆପଣଙ୍କୁ ପଚରାଯିବ କଣ? କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ହେଲା ବିଜ୍ଞପ୍ତି

ଗୋଟିଏ ପରେ ଗୋଟିଏ ଘର ଅଧା ଗଢ଼ା ହୋଇ ରହିଛି । କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରୁ ଆସିଛି ଏପରି ଦୃଶ୍ୟ । ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅଧିକାଂଶ ପରିବାର ଗରିବ ସୀମାରେଖା ତଳେ । ଏମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର କରାଯାଇଛି । ହେଲେ ଗୃହ ପାଇଥିବା ହିତାଧିକାରୀଙ୍କ ପାଖରେ ଘର ତିଆରି ଆରମ୍ଭ କରିବାକୁ ଟଙ୍କା ନଥିବାରୁ ଠିକାଦାର ଫାଇଦା ଉଠାଉଛନ୍ତି । ଘର କାମ କରିଦେବି କହି ହିତାଧିକାରୀଙ୍କୁ ବ୍ୟାଙ୍କକୁ ନେଇ ଟିପ ଚିହ୍ନ ଲଗାଇ ଟଙ୍କା ଉଠାଇଥାନ୍ତି । ପ୍ରଥମ କିସ୍ତି ଟଙ୍କା ଉଠାଇବା ପରେ ଅଳ୍ପ କିଛି ଘର କାମ କରନ୍ତି । ହେଲେ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଟଙ୍କା ଉଠାଇବା ପରେ ଆଉ ଧରା ଛୁଆଁ ଦେଉ ନାହାନ୍ତି ଠିକାଦାର ।

ବୈପାରୀଗୁଡ଼ା ବ୍ଲକର ୨୦ଟି ପଞ୍ଚାୟତରେ ଏବେ ଏପରି ଅବସ୍ଥା। ପ୍ରାୟ ୮ ଶହ ଘର ଅଧାଗଢ଼ା ହୋଇ ପଡ଼ିଛି । ଠକ ଠିକାଦାରଙ୍କ ମିଥ୍ୟା ଆଶ୍ୱାସନାର ବଶବର୍ତ୍ତୀ ହୋଇ ନୂତନ ଗୃହ ପାଇବାରୁ ଏଯାଏଁ ବଞ୍ଚିତ ହୋଇଛନ୍ତି ହିତାଧିକାରୀ । ନିରୀହ ଆଦିବାସୀ ବାରମ୍ବାର ଗୁହାରି କରିବା ପରେ ଭାଗ୍ୟକୁ ଆଦରି ଭଙ୍ଗା ଦଦରା କୁଡ଼ିଆରେ ଜୀବନ ବିତାଉଛନ୍ତି । ବୈପାରିଗୁଡା ବିଡ଼ିଓ କହିଛନ୍ତି, ବୈପାରିଗୁଡା ଥାନା ଅଧିକାରୀ, ତହସିଲଦାର ଏବଂ ବ୍ଲକ ଅଧିକାରୀଙ୍କ ବୈଠକ କରାଯାଇଛି । ହିତାଧିକାରୀଙ୍କ ସହ ଆଲୋଚନା ପରେ ସମ୍ପୃକ୍ତ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।