କନକ ବ୍ୟୁରୋ: ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁସ୍ୱାଦୁ ପଖାଳ ସହିତ ବିଭିନ୍ନ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଓଡ଼ିଆ ସଦସ୍ୟ ସଦସ୍ୟାଙ୍କ ଭିତରେ ବିତରଣ କରାଯାଇଥିଲା ।
/kanak/media/media_files/2025/03/22/TvwCwIyWHr9TzaH4ySzM.jpeg)
ଏହି ଅବସରରେ ଡ.ପ୍ରହରାଜ ଉପସ୍ଥିତ ଓଡ଼ିଆ ଭାଇ ଭଉଣୀଙ୍କୁ ଶୁଭକାମନା ଜଣାଇବା ପୂର୍ବକ କହିଥିଲେ ଯେ, ଆମର ମହାପ୍ରଭୁଙ୍କ ୫୬ ପ୍ରକାର ବ୍ୟଞ୍ଜନ ଭିତରେ ବି ପଖାଳ ଏକ ପ୍ରିୟ ବ୍ୟଞ୍ଜନ । ଓଡ଼ିଆ ଜନଜୀବନ ସହିତ ପଖାଳ ସଂସ୍କୃତି ନିବିଡ଼ ଭାବରେ ଯୋଡ଼ି ହୋଇ ଅଛି । ବଳକା ଭାତରେ ଟିକେ ପାଣି ମିଶେଇ ଦେଲେ ଯେ ଏକ ପୁଷ୍ଟିକର ଖାଦ୍ୟ ହୋଇପାରେ ତାହା ଆମ ମା’ ଭଉଣୀମାନେ ବେଶ ଭଲ ଭାବରେ ଜାଣନ୍ତି ।
ନିକଟରେ ଭୁବନେଶ୍ୱର ଏମ୍ସ ଡାକ୍ତରଦଳ ଏକ ଗବେଷଣାରୁ ସ୍ପଷ୍ଟ କରିଛନ୍ତି ଯେ, ପଖାଳ ଭାତରେ ଏକ ବିଶେଷ ଖାଦ୍ୟସାର ସୃଷ୍ଟି ହୁଏ ଯାହାକି ଶରୀର ପାଇଁ ସ୍ୱାସ୍ଥ୍ୟକର । ଓଡ଼ିଆ ସଂସ୍କୃତିର ଏହି ବିଶେଷ ଖାଦ୍ୟ ବା ପଖାଳକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ଆମ ପ୍ରବାସୀ ମାନଙ୍କର ଉଦ୍ୟମ ସବୁବେଳେ ଦେଖିବାକୁ ମିଳୁଛି । ଉପସ୍ଥିତ ସଦସ୍ୟ ସଦସ୍ୟାମାନେ ଡ ପ୍ରହରାଜ ଓ ତାଙ୍କ ଧର୍ମପତ୍ନୀ ସୁନୀତା ପ୍ରହରାଜଙ୍କୁ ସୁସ୍ୱାଦୁ ପଖାଳ ପାଇଁ ଧନ୍ୟବାଦ ଜଣାଇଥିଲେ ।