କନକ ବ୍ୟୁରୋ : ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାକୁ ପ୍ରଚାର ପାଇଁ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଓ ଏହା ମଧ୍ୟରେ ଥିବା ବ୍ୟାଗକୁ ଯାଞ୍ଚ କରାଯାଇଛି । ନିର୍ବାଚନ ବେଳେ ଟଙ୍କା କିମ୍ବା ଅନ୍ୟାନ୍ୟ ଜିନିଷ ଲୋକଙ୍କୁ ଦେବା ଭଳି କାମ ଉପରେ ରୋକ ଲଗାଇବା ପାଇଁ ନିୟୋଜିତ ନିର୍ବାଚନ ଅଧିକାରୀମାନେ ଏପରି ଯାଞ୍ଚ କରିଛନ୍ତି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ଏବେ ଜୋରଦାର ପ୍ରଚାର ଚାଲିଛି । ନିକଟରେ ନିର୍ବାଚନ ଅଧିକାରୀମାନେ ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଓ ବ୍ୟାଗକୁ ଯାଞ୍ଚ କରିଥିଲେ । ଏହାର ଭିଡିଓ ଉଦ୍ଧବ ରେକର୍ଡ କରିବା ସହ କ’ଣ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବ୍ୟାଗକୁ ମଧ୍ୟ ଯାଞ୍ଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ବିବାଦ ବଢ଼ୁଥିବା ବେଳେ ନିର୍ବାଚନ ଅଧିକାରୀମାନେ ପ୍ରଚାର ପାଇଁ ଆସୁଥିବା ହାଇପ୍ରୋଫାଇଲ ନେତାଙ୍କ ବ୍ୟାଗକୁ ଯାଞ୍ଚ କରିବା ଆରମ୍ଭ କରିଥିଲେ। ଏହିକ୍ରମରେ ଆଜି ଶାହଙ୍କ ବ୍ୟାଗ ମଧ୍ୟ ଯାଞ୍ଚ କରାଯାଇଛି ।