କନକ ବ୍ୟୁରୋ: ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଯୁଝୁଛି ବଲାଙ୍ଗୀର ଜିଲ୍ଲା । ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନାହାନ୍ତି ପର୍ଯ୍ୟାପ୍ତ ସଂଖ୍ୟାରେ ଡାକ୍ତର । ଅନ୍ୟ ସ୍ୱାସ୍ଥ୍ୟକର୍ମୀ ନଥିବାରୁ ନାନା ଅସୁବିଧା ଭୋଗୁଛନ୍ତି ରୋଗୀ । ଘାଣ୍ଟି ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସବୁଠୁ ବଡ଼ କଥା ହେଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅସୁସ୍ଥ ହୋଇଯାଇଛି ସ୍ୱାସ୍ଥ୍ୟସେବା ।

Advertisment

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ । ଏଠାରେ ବିଶେଷଜ୍ଞ ଡାକ୍ତର ଓ ଟେକ୍ନିସିଆନ୍‌ଙ୍କ ଅଭାବ । ସେଥିପାଇଁ ଏହି ମେଡିକାଲ କଲେଜ ଏବେ ରେଫରାଲ୍ ହସ୍ପିଟାଲ ପାଲଟିଯାଇଛି । ନିଜ ଜିଲ୍ଲାର ବଡ଼ ଡାକ୍ତରଖାନରେ ବଡ଼ ଅବ୍ୟବସ୍ଥା । ଉପାୟ ନ ପାଇ କଟକ-ଭୁବନେଶ୍ୱର କି ବୁର୍ଲା ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ । ମେଡିକାଲ କଲେଜ ଓ ହସ୍ପିଟାଲରେ ଇଏନ୍‌ଟି, ରେଡିଓଲୋଜି, ଏଫଏମ୍‌ଟି, ମେଡିସିନ, ଚକ୍ଷୁ ବିଭାଗରେ ନାହାନ୍ତି ବିଶେଷଜ୍ଞ ଡାକ୍ତର । 

ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜିଲ୍ଲାରୁ ଆସିଛି ସ୍ୱାସ୍ଥ୍ୟ ସେବାର ଏଭଳି ଘଟଣା । ଏହି ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଉପରେ ପ୍ରାୟ ୫ଟି ଜିଲ୍ଲାର ଲୋକ ନିର୍ଭରଶୀଳ । ହେଲେ ଏଠାରେ ଆବଶ୍ୟକତା ଅନୁସାରେ ଡାକ୍ତର ନାହାନ୍ତି । ଅଧାରୁ ଅଧିକ ପଦବୀ ଖାଲି । ଟେକ୍ନିକାଲ ଷ୍ଟାଫ୍‌ଙ୍କର ମଧ୍ୟ ଅଭାବ । ଫଳରେ ରୋଗୀସେବା ବ୍ୟାପକ ଭାବେ ପ୍ରଭାବିତ । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଟାଇଁଟାଇଁ ଖରାରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହୁଥିବା ଦେଖିବାକୁ ମିଳୁଛି ।

କେବଳ ଏଇ ଗୋଟିଏ ଡାକ୍ତରଖାନା ନୁହେଁ ଜିଲ୍ଲାର ଅନ୍ୟ ପିଏଚ୍‌ସି, ସିଏଚ୍‌ସିର ସମାନ ଅବସ୍ଥା । ଜିଲ୍ଲା ପାଇଁ ମୋଟ୍‌ ୬୧୧ ଜଣ ଡାକ୍ତର ଆବଶ୍ୟକ । ଅଛନ୍ତି ମାତ୍ର ଅଢ଼େଇ ଶହ । ତେଣୁ ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ଜିଲ୍ଲା ବାହାରକୁ ଯିବାକୁ ପଡୁଛି ।