କନକ ବ୍ୟୁରୋ : ମୋରମ ଖାଦନରେ ଫସିଛି ହାତୀଛୁଆ । କରଞ୍ଜିଆ ବନଖଣ୍ଡର ସରୁବାଲି ନିକଟ ପକାମୁଣ୍ଡା ଗାଁ ଜଙ୍ଗଲ ନିକଟରେ ଥିବା ଏକ ମୋରମ ଖାଦନରେ ଛୁଆ ହାତୀଟି ପଡ଼ିରହିଛି । ଛୁଆ ହାତୀ ପାଖରେ ଜଗିରହିଛି ମା’ ହାତୀ । ମା ହାତୀ ସେଠାରେ ଜଗିରହିଥିବାରୁ ରେସ୍କ୍ୟୁ ଅପରେସନ କରିପାରୁନି ବନବିଭାଗ । ହାତୀ ଘଉଡେଇବା ପରେ ବନବିଭାଗ ରେସ୍କୁ ଅପରେସନ କରିବ । ତେବେ ଛୁଆ ହାତୀଟି ଆହତ ଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ବନବିଭାଗ ପକ୍ଷରୁ ଏକ ଡାକ୍ତର ଟିମକୁ ଡ଼କାଯାଇଛି । ମା ହାତୀ ଓ ପାଖରେ ଆଉ ୩ଟି ହାତୀ ବର୍ତ୍ତମାନ ରହିଥିବାରୁ ଖାଇରୁ ଉଦ୍ଧାର କରିବାରେ ବିଳମ୍ବ ହେଉଛି ।  ଗତ କିଛି ଦିନ ହେଲା କରଞ୍ଜିଆ ବନଖଣ୍ଡ ଅଂଚଳରେ ଡେରା ପକାଇଥିବା ୨୬ଟିକିଆ ହାତୀପଲ ମଧ୍ୟରୁ ୨୧ଟି ହାତୀ ବର୍ତ୍ତମାନ ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସଂରକ୍ଷିତ ଜଙ୍ଗଲକୁ ପଳାଇଛନ୍ତି । ଆଉ ୫ଟି ହାତୀ ଏବେ ବି କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବୁଲୁଛନ୍ତି ।