କନକ ବ୍ୟୁରୋ: ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ଆକ୍ସନମୋଡରେ ମୁଖ୍ୟମନ୍ତ୍ରୀ । ଘର ସଜଡ଼ା ଅଭିଯାନକୁ ଜୋରଦାର କରିଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଚିଠିରୁ କିଛି ଏଭଳି ସଙ୍କେତ ମିଳିଛି । ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ସରକାରୀ ଫାଇଲ୍ ଅନ୍ତରାୟ ସୃଷ୍ଟି କରୁଛି । ବିନା କାରଣରେ ବିଭିନ୍ନ ବିଭାଗରେ ମାସ ମାସ ଧରି ପଡ଼ିରହୁଛି ଫାଇଲ୍ । ଯେଉଁଥିପାଇଁ ସାଧାରଣ ଲୋକଙ୍କ ପାଇଁ ହେଉଥିବା ଯୋଜନା ଆଗକୁ ବଢ଼ିପାରୁନି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ଆସିବା ପରେ ଉଭୟ ପ୍ରାଶାସନିକ ଓ ଶାସନତନ୍ତ୍ର ଭିତରେ ଛନକା ପଶିଛି । ସରକାରୀ ଫାଇଲ୍ ପାଇଁ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାକୁ ସହଜରେ ଗ୍ରହଣ କରିନାହାନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଆସୁଥିବା ଫାଇଲଗୁଡିକୁ ନିର୍ଦ୍ଦିଷ୍ଟ ସମୟସୀମାରେ ରିଲିଜ୍ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
- କ୍ଷମତାର ହେବ ବିକେନ୍ଦ୍ରୀକରଣ
- ବାବୁଙ୍କୁ ଆଉ ଦିଆଯିବନି ଫୁରସତ୍
ପ୍ରାଶାସନିକ ବ୍ୟବସ୍ଥାର ସୁପରିଚାଳନା ଓ ସରକାରୀ ବ୍ୟବସ୍ଥାକୁ ଗତିଶୀଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । କ୍ଷମତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଆବଦ୍ଧ ନ ରଖି ଏହାର ବିକେନ୍ଦ୍ରୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଅତିରିକ୍ତ କାର୍ଯ୍ୟଭାର ଯେପରି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ନ ରହିବ, ସେଥିପାଇଁ ସଚିବଙ୍କୁ ମିଳିବ ଅତିରିକ୍ତ ଟାସ୍କ । ବିଭାଗୀୟ ନିଯୁକ୍ତି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତିରେ ସଚିବଙ୍କ ସମ୍ପୃକ୍ତି ରହିବ । ପୂର୍ବରୁ ଏହା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ସୀମିତ ରହିଥିଲା । ଏଭଳି ନିଷ୍ପତ୍ତି ପରେ ମନ୍ତ୍ରୀଙ୍କ କ୍ଷମତାକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ସଚିବଙ୍କ ହାତରେ ରହିବ । ଯାହା ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବ ।
ଲୋକଙ୍କ ସରକାରରେ ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୌଣସି ଫାଇଲ୍ ଅଟକିବା କାରଣରୁ ଯେପରି କାହାର ସମସ୍ୟା ନହୁଏ ସେଥିପାଇଁ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି ମୋହନ । ଫାଇଲ ଅଟକିବନି, ଦାୟିତ୍ବରେ କେହି ଢିଲା ମାରିବେନି । ପ୍ରଶାସନକୁ କ୍ରିୟାଶୀଳ କରିବାର ଦାୟିତ୍ବ ରହିବ ବାବୁଙ୍କ ମୁଣ୍ଡରେ । ଏଥିରେ ଖିଲାପ କଲେ ମୋହନ ନେବେ କଡ଼ା କାର୍ଯ୍ୟାନୁଷ୍ଠାନ । କାରଣ ବାବୁଙ୍କ ମନମାନି ପାଇଁ ସରକାର ଅପବାଦ ମୁଣ୍ଡାଉ ତାହା ଚାହୁନାହାନ୍ତି ମୁଖ୍ୟମନ୍ତ୍ରୀ ।