କନକ ବ୍ୟୁରୋ: ବିଜେଡିରେ କମୁଛି କି ବବିଙ୍କ ପାଓ୍ୱାର ? ଦଳ ଦୂରେଇ ରଖୁଛି ନା, ନିଜେ ଦୂରେଇ ଯାଉଛନ୍ତି । ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକ୍ରମରେ ନବୀନଙ୍କ ଉପସ୍ଥିତିରେ ମଞ୍ଚ ଉପରେ କହିବାକୁ ଦିଆଗଲାନି ସୁଯୋଗ । ରାଜନୀତି ମହଲେ ଚର୍ଚ୍ଚା, ବିଜେଡି ପାଇଁ ଅଲୋଡ଼ା ହେଲେ କି ବବି ?

Advertisment

ନିର୍ବାଚନ ହାରିବା ପରେ ବିଜେଡିରେ ଅଲୋଡ଼ା ହୋଇଯାଇଛନ୍ତି କି ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ? କାରଣ ଗତକାଲି ଶଙ୍ଖ ଭବନରେ ହୋଇଥିବା ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ବବି, ମଞ୍ଚ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କହିବାର ସୁଯୋଗ ପାଇନଥିଲେ। 

ଗତକାଲି ଗୋଟେ ପଟେ ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନେତାଙ୍କ ସହିତ ମଞ୍ଚ ତଳେ ବସିଥିଲେ। ଆଉ ଗୋଟେ ପଟେ ଜଣେ ପରେ ଜଣେ ନେତା ନବୀନଙ୍କ ଉପସ୍ଥିତିରେ ଅଭିଭାଷଣ ରଖୁଥିଲେ। ଦେବୀ ମିଶ୍ର, ଅତନୁ, ଅଶୋକ, ଅରୁଣ, ସଞ୍ଜୟ, ବ୍ୟୋମକେଶ ରାୟ, ସ୍ନେହାଙ୍ଗିନୀ, ଦେବୀ ରଞ୍ଜନ ତ୍ରିପାଠୀ ନବୀନଙ୍କ ଉପସ୍ଥିତିରେ ଭାଷଣ ରଖିଥିଲେ। କିନ୍ତୁ ମଞ୍ଚ ଉପରକୁ ଯାଇ ନବୀନଙ୍କ ଉପସ୍ଥିତିରେ କହିବାକୁ ସୁଯୋଗ ପାଇନଥିଲେ ବବି। ଯାହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଜୋର ଧରିଛି।

ପ୍ରଣବ ପ୍ରକାଶଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦୂରେଇ ରଖଯାଉଛି ନା, ଦଳ ହାରିବା ପରେ ନିଜ ଆଡୁ ଦୂରେଇ ଯାଇଛନ୍ତି ? କାରଣ ବିଭିନ୍ନ କମିଟିରେ ପ୍ରଣବଙ୍କୁ  ରଖାଯାଇନି । ଏପରିକି ତାଙ୍କ ସ୍ଥାନରେ ସଂଗଠନ ଓ ଦଳୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି ଦେବୀ ମିଶ୍ର । କିଛି ଦିନ ପୂର୍ବରୁ ଯାଜପୁର ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଓ ଅମର ଶତପଥୀ  ବିଜେଡି ହାରିବା ପଛରେ ସିଧାସଳଖ ପ୍ରଣବକୁ ଟାର୍ଗେଟ କରିଲେ ।

ସୂଚନାଯୋଗ୍ୟ ଯେ, ନବୀନଙ୍କ ଉପସ୍ଥିତିରେ ସବୁବେଳେ ମଞ୍ଚ ପରିଚାଳନା କରୁଥିବା ବବିଙ୍କୁ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଥିଲା । ଗତକାଲି କିନ୍ତୁ ନବୀନ ଆସିବା ପୂର୍ବରୁ ତାଙ୍କର ଅଭିଭାଷଣ ରଖିସାରିଥିଲେ । ନିର୍ବାଚନ ପୂର୍ବରୁ ସାଂଗଠନିକ ସମ୍ପାଦକ ଥିବା ବେଳେ ନେତାଙ୍କୁ ମଞ୍ଚ ଉପରୁ ତଳକୁ ଟାଣି ଦେଉଥିଲେ ବବି। କୋରାପୁଟ ବିଜେଡି ସମାବେଶରେ ରବିନାରାୟଣ ନନ୍ଦଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ। ସେହିପରି ଶଙ୍ଖ ଭବନ ଉଦଘାଟନ ସମୟରେ ମଞ୍ଚ ଉପରୁ ଶାରଦା ନାୟକ, ଅଶୋକ ବଳଙ୍କ ପରି ବରିଷ୍ଠ ନେତାଙ୍କ ହାତ ଟାଣି ଥିଲେ ବବି । କିନ୍ତୁ ଏବେ ନିଜେ ମଞ୍ଚ ତଳେ।