କନକ ବ୍ୟୁରୋ : ରେଢାଖୋଲ ବୈଷ୍ଣବ ଝୁଲି ଆଶ୍ରମର ଇଏ ହେଉଛି ସେହି ଭଣ୍ଡ ବାବା ପ୍ରଫୁଲ୍ଲ ମାହାଲା, ଯାହାଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ପୀଡ଼ିତାଙ୍କ ସୂଚନା ଅନୁସାରେ, ବିଭିନ୍ନ ସମୟରେ ଏସିଡିଟି ଯୋଗୁଁ ଦେହ ଖରାପ ହେଉଥିବାରୁ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ ମାହାଲାଙ୍କ ଆଶ୍ରମକୁ ଯାଇଥିଲେ। ଆଶ୍ରମରେ ବାବା ତାଙ୍କୁ କିଛି ଔଷଧ ଦେଇଥିଲେ। ମାସେ ପରେ ପୁଣିଥରେ ଆଶ୍ରମ ଆସିବାକୁ କହିବା ପରେ ଯୁବତୀ ଜଣକ ଆସିଥିଲେ। ପ୍ରଫୁଲ୍ଲ ମାହାଲା ସମ୍ପୃକ୍ତ ଯୁବତୀଙ୍କୁ ୪ଟି ବଟିକା ଖାଇବାକୁ ଦେଇଥିଲେ। ଏହାପରେ ଅଚେତ୍ ଅବସ୍ଥାରେ ଯୁବତୀଙ୍କ ସହ ବାବା ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବୟାନ ଆଧାରରେ ରେଢାଖୋଲ ପୋଲିସ ଆଶ୍ରମରେ ପହଞ୍ଚି ବାବାକୁ ଗିରଫ କରିଛି । 

Advertisment

ବାବା ପ୍ରଫୁଲ୍ଲ ମାହାଲାଙ୍କୁ ନେଇ ବିବାଦ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ସମ୍ବଲପୁର ନାକଟିଦେଉଳର କୁଞ୍ଜବନ ଓ ଯୁଯୁମରା ବ୍ଲକର ଏକ ମଠରେ ରହିଥିଲେ। ସବୁଠି ଏଭଳି ଅନୈତିକ କାର୍ୟ୍ୟ ପାଇଁ ତଡ଼ା ଖାଇଥିଲେ। ଏବେ ଗତ ୨ ବର୍ଷ ହେବ ଏହି ବୈଷ୍ଣବ ଝୁଲି ଆଶ୍ରମରେ ରହୁଥିଲେ ପ୍ରଫୁଲ୍ଲ ମାହାଲା । ଏଠି ବି ଯୁବତୀଙ୍କୁ ନିଶା ବଟିକା ଦେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଅଭିଯୋଗରେ ଏବେ ପୋଲିସ ହେପାଜତରେ । 

ସମ୍ପୃକ୍ତ ଆଦିବାସୀ ଯୁବତୀ ରେଢାଖୋଲ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।