କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାବେ ଭାଇରାଲ ହେଉଛନ୍ତି ପାକିସ୍ତାନ କ୍ରିକେଟର ‘କିଙ୍ଗ ବୋଲାଉଥିବା ବାବର ଆଜମ । ଗୋଲାପି ରଙ୍ଗର ଜର୍ସି ପିନ୍ଧି ବାଉଣ୍ଡ୍ରି ଲାଇନ୍ ବାହାରକୁ ଆସୁଥିବା ବେଳେ ବାବର ଆଜମ ବହୁତ ରାଗିଥିବା ଦେଖିବାକୁ ମିଳିଛି । ପ୍ୟାଭିଲିୟନକୁ ଫେରିବା ପୂର୍ବରୁ ଅସନ୍ତୋଷ ଚରମ ସୀମାରେ ପହଞ୍ଚି ଯାଇଥିଲା । ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏଥିପାଇଁ ଅନେକ ପ୍ରଶଂସକ ତାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି । ତେବେ କଣ ଥିଲା ପୂରା ଘଟଣା ତାହା ଆଜି ଆମେ ଆପଣଙ୍କୁ କହିବୁ । 

Advertisment

ଅଷ୍ଟ୍ରେଲିଆର ବିଗ୍ ବ୍ୟାସ୍‌ ଲିଗ୍‌ରେ ସିଡନି ସିକ୍ସର୍ସର ବ୍ୟାଟର ଷ୍ଟିଭ୍ ସ୍ମିଥ୍ ଏବଂ ବାବର ଆଜମଙ୍କ ମଧ୍ୟରେ ଏକ ମ୍ୟାଚ୍‌ରେ ଯୁକ୍ତିତର୍କ ସ୍ଥିତି ଦେଖିବାକୁ ମିଳିଥିଲା ।  ଯାହା ଏବେ କ୍ରିକେଟ ଜଗତରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ମିଥ୍ ବାବରଙ୍କୁ ଏକ ସିଙ୍ଗଲ୍ ନେବାରୁ ରୋକିଥିଲେ, ଯେପରି ସେ ନିଜେ ପାୱାର୍-ସର୍ଜ ଓଭରର ଫାଇଦା ଉଠାଇ ପାରିବେ । ଏହି ନିଷ୍ପତ୍ତି ପରେ ସ୍ମିଥ୍ ଗୋଟିଏ ଓଭରରେ ୩୨ ରନ୍ ସଂଗ୍ରହ କରିଥିଲେ, ଯାହା BBL ଇତିହାସର ସବୁଠାରୁ ମହଙ୍ଗା ଓଭର ସାବ୍ୟସ୍ତ ହୋଇଛି । ତେବେ, ଏହି ଘଟଣା ପରେ ବାବର ଆଜମ ଖୁବ୍ ରାଗିଥିବା ଦେଖାଯାଇଥିଲେ ଏବଂ ଏହାର ପରବର୍ତ୍ତୀ ଓଭରରେ ହିଁ ସେ ଆଉଟ୍ ହୋଇଯାଇଥିଲେ ।  

ଏହି ଘଟଣା ସିଡନି ସିକ୍ସର୍ସ ଏବଂ ସିଡନି ଥଣ୍ଡର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଘଟିଥିଲା । ୧୧ତମ ଓଭରରେ, ଯେତେବେଳେ ବାବର ଆଜମ କ୍ରିସ୍ ଗ୍ରିନଙ୍କ ବଲ୍‌ର ସାମ୍ନା କରୁଥିଲେ, ସେ ଏକ ସଟ୍ ମାରି ସିଙ୍ଗଲ୍ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସ୍ମିଥ୍ ତାଙ୍କୁ ରହିବା ପାଇଁ ଇସାରା କରିଥିଲେ ଏବଂ କହିଥିଲେ ଯେ ସେ ପାୱାର୍-ସର୍ଜର ଫାଇଦା ଉଠାଇବାକୁ ଚାହୁଛନ୍ତି।  ପାୱାର୍-ସର୍ଜ BBLର ଏକ ସ୍ୱତନ୍ତ୍ର ନିୟମ, ଯେଉଁଥିରେ ବ୍ୟାଟ୍ସମ୍ୟାନ୍ ୧୦ ଓଭର ପରେ ଦୁଇ ଓଭର ପାଇଁ ପାୱାରପ୍ଲେର ସୁବିଧା ପାଇପାରିବେ। ସ୍ମିଥ୍ ବାବରଙ୍କୁ ସିଙ୍ଗଲ୍ ନେବାରୁ ରୋକି ନିଜେ ସେହି ଓଭରରେ ବଡ଼ ସଟ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଏହି କାରଣରୁ ୧୧ ଓଭର ଶେଷ ସୁଦ୍ଧା ବାବର ଆଜମ ୪୭ ବଲରେ ୩୮ ରନ୍ କରି ଖେଳୁଥିବା ବେଳେ ସ୍ମିଥ୍ ୨୮ ବଲରେ ୫୮ ରନ୍ ସଂଗ୍ରହ କରିସାରିଥିଲେ । ବାବର ଛକା ମାରିବାରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଏହି କାରଣରୁ ପରବର୍ତ୍ତୀ ଓଭରରେ ଷ୍ଟ୍ରାଇକ୍‌ ନିଜ ପାଖରେ ରଖିବାକୁ ଚାହିଥିଲେ ଷ୍ଟିଭ୍‌ ସ୍ମିଥ୍‌ ।  

ଏହା ବି ପଢ଼ନ୍ତୁ: ବିଜୟ ହଜାରେ ଟ୍ରଫି ଫାଇନାଲ୍‌ରେ ସୌରାଷ୍ଟ୍ର-ବିଦର୍ଭ

ସିଡନି ସିକ୍ସର୍ସ ପକ୍ଷରୁ ଓପନିଂ କରି ବାବର ଆଜମ ଏବଂ ଷ୍ଟିଭ୍ ସ୍ମିଥ୍ ପ୍ରଥମ ୱିକେଟ୍ ପାଇଁ ୧୨.୧ ଓଭରରେ ୧୪୧ ରନର ଭାଗିଦାରୀ କରିଥିଲେ । କିନ୍ତୁ ବାବରଙ୍କ ରନ୍ ସଂଗ୍ରହର ଗତି ଧିମା ଥିଲା । ବାବର ୩୯ଟି ବଲରେ ୧୨୧ ଷ୍ଟ୍ରାଇକ୍ ରେଟ୍‌ରେ ୪୭ ରନ୍ ହିଁ ସଂଗ୍ରହ କରିପାରିଥିଲେ । ପାଳିର ୧୧ତମ ଓଭରର ଶେଷ ବଲରେ ଷ୍ଟିଭ୍ ସ୍ମିଥ୍ ବାବର ଆଜମଙ୍କୁ ସିଙ୍ଗଲ୍ ରନ୍ ନେବାକୁ ଦେଇନଥିଲେ । ତେବେ ଷ୍ଟିଭ୍ ସ୍ମିଥ୍ ବାବରଙ୍କୁ କହିଥିଲେ ଯେ, ଆଗାମୀ ଦୁଇ ଓଭରରେ ସେ ‘ପାୱାର୍ ସର୍ଜ’ ନେବାକୁ ଯାଉଛନ୍ତି, ଯେଉଁଥିରେ ଫିଲ୍ଡିଂ କରୁଥିବା ଦଳର ମାତ୍ର ଦୁଇଜଣ ଖେଳାଳି ହିଁ ସର୍କଲ୍ ବାହାରେ ରହିପାରିବେ । 

ସ୍ମିଥ୍ ପରବର୍ତ୍ତୀ ଓଭରରେ ରାଇନ୍ ହ୍ୟାଡଲିଙ୍କୁ ଲଗାତାର ୪ଟି ଛକା ମାରିଥିଲେ ଏବଂ ଏହିପରି ଭାବେ ୧୨ତମ ଓଭରରେ ମୋଟ ୩୨ ରନ୍ ସଂଗ୍ରହ ହୋଇଥିଲା । ବିଗ୍ ବ୍ୟାସ୍‌ ଲିଗ୍ ଇତିହାସରେ ଏହା ସବୁଠାରୁ ମହଙ୍ଗା ଓଭର ସାବ୍ୟସ୍ତ ହୋଇଛି । ପରବର୍ତ୍ତୀ ଓଭରର ପ୍ରଥମ ବଲ୍‌ରେ ହିଁ ବାବର ଆଜମ ନାଥନ୍ ମ୍ୟାକଏଣ୍ଡ୍ର୍ୟୁଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ ଏବଂ ଏହାକୁ ନେଇ ସେ ଖୁବ ରାଗିଥିବା ଦେଖାଯାଇଥିଲେ। ପ୍ୟାଭିଲିୟନକୁ ଫେରିବା ସମୟରେ ସେ ନିଜର ରାଗକୁ ବାଉଣ୍ଡ୍ରି କୁସନ୍ ଉପରେ କାଢ଼ିଥିଲେ । ପ୍ରଶଂସକମାନେ ଏବେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର୍ କରିବା ସହ ତାଙ୍କୁ ଖୁବ ଟ୍ରୋଲ୍ ମଧ୍ୟ କରୁଛନ୍ତି । 

ଏହାପୂର୍ବରୁ ପାକିସ୍ତାନୀ ଓପନର ମହମ୍ମଦ ରିଜୱାନ୍ ଅଷ୍ଟ୍ରେଲିଆର ବିଗ୍ ବ୍ୟାସ୍‌ ଲିଗ୍‌ରେ ବେଜିତ୍‌ ହୋଇଥିଲେ । ମେଲ୍‌ବର୍ଣ୍ଣ ରେନେଗେଡ୍ସ ପକ୍ଷରୁ ବ୍ୟାଟିଂ ବେଳେ ଧିମା ବ୍ୟାଟିଂ ଯୋଗୁଁ ତାଙ୍କୁ ପଡ଼ିଆରୁ ରିଟାର୍ୟଡ ଆଉଟ୍ କରାଇଥିଲା ଦଳ ।