କନକ ବ୍ୟୁରୋ : ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପଛରେ ରହିଛି କି ଷଡ୍ଯନ୍ତ୍ର । ଏନେଇ ବିରୋଧୀଙ୍କ ମୁହଁ ଚୁପ୍ ଥିବା ବେଳେ ବାବା ରାମଦେବ ଏହି ଦୁର୍ଘଟଣା ପଛରେ ତୁର୍କୀର ହାତ ଥିବା ଇସାରା କରିଛନ୍ତି । ବାବା କହିଛନ୍ତି କି ମୁଁ ଜାଣିବାକୁ ପାଇଲି, ତୁର୍କୀର ଏକ ଏଜେନ୍ସି ଦୁର୍ଘଟଣାରେ ଶିକାର ହୋଇଥିବା ବିମାନର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା । ସନ୍ଦେହ କରାଯାଉଛି ତୁର୍କୀ ତା'ର ପୂର୍ବ ଶତ୍ରୁତା ଆଧାରରେ ଏଭଳି ଷଡ୍ଯନ୍ତ୍ର କରିଛି ।
ବାବା ରାମଦେବ କହିଛନ୍ତି କି, ଅହମଦାବାଦ ବିମାନ ଦୁର୍ଘଟଣା ପଛର କାରଣ ଖୋଜୁଥିବା ଏଜେନ୍ସି ଏହା ଉପରେ ବି ନଜର ରଖିବା ଦରକାର । ଏହାସହ ଭାରତ ଏବେ ନିଜ ଦେଶର ବିମାନ ରକ୍ଷଣାବେକ୍ଷଣ ନେଇ ଅଧିକ ଯତ୍ନଶୀଳ ହେଉ ବୋଲି ବାବା ରାମଦେବ ପରାମର୍ଶ ଦେଇଛନ୍ତି ।
ଅହମଦାବାଦ ଦୁର୍ଘଟଣା ପରେ ତୁର୍କୀକୁ ନେଇ ମଧ୍ୟ କିଛି ଆଲୋଚନା ଚାଲିଛି । ଏହାର କାରଣ ହେଉଛି ତୁର୍କୀ କମ୍ପାନୀ ଟର୍କିସ୍ ଟେକନିକ୍ ଏକ ଗ୍ଲୋବାଲ ଏଭିଏସନ ସର୍ଭିସ କମ୍ପାନୀ । ଭାରତର କିଛି ଏୟାର ଲାଇନ୍ସ ମଧ୍ୟ ଏହି କମ୍ପାନୀର କ୍ଲାଏଣ୍ଟ । ଏଥିରେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ମଧ୍ୟ ସାମିଲ ଅଛି ।
ଯଦି ଏୟାରଇଣ୍ଡିଆ କଥା କହିବା ତେବେ ଏୟାରଲାଇନ୍ସ ବୋଇଙ୍ଗ ୭୭୭ ବିମାନକୁ କିଛିଦିନ ତଳେ ମେଣ୍ଟେନାନ୍ସ ପାଇଁ ଟର୍କିସ୍ ଟେକନିକ୍ ପାଖକୁ ପଠାଯାଇଥିଲା । ହେଲେ ଅପରେସନ୍ ସିନ୍ଦୂର ପରେ ତୁର୍କୀ ଯେଭଳି ଭାବେ ପାକିସ୍ତାନ ସମର୍ଥନରେ ରହିଲା ଓ ତାକୁ ସହଯୋଗ କଲା ଏହାପରେ ଭାରତ ତରଫରୁ ବଏକଟ୍ ତୁର୍କୀ ଅଭିଯାନ ଆରମ୍ଭ କରିଥିଲା । ଏହି କ୍ରମରେ ଏୟାର ଇଣ୍ଡିଆ ଟର୍କିସ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିଲା ।