କନକ ବ୍ୟୁରୋ : ସଂସଦରେ ପ୍ରଦୀପ ପୁରୋହିତଙ୍କ ବୟାନକୁ ନେଇ ସାରା ଦେଶରେ ଲାଗି ରହିଛି ଚର୍ଚ୍ଚା । ଲୋକସଭାରେ ମୋଦୀଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ପୁନର୍ଜନ୍ମ ବୋଲି କହିଥିଲେ ପ୍ରଦୀପ । ଯାହାକୁ ବିରୋଧ କରିଥିଲେ କିଛି ସାଂସଦ । ପ୍ରତିବାଦ କରିବା ସହ ଏହାକୁ ରେକର୍ଡ ଭୁକ୍ତ ନ କରିବା ପାଇଁ ଦାବି ମଧ୍ୟ କରିଥିଲେ । ଏନେଇ ମହାରାଷ୍ଟ୍ରରେ କଂଗ୍ରେସର ଦଳ ତରଫରୁ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ଗିରିଜା ବାବା ମୋଦୀଙ୍କ ପୂର୍ବଜନ୍ମ ବିଷୟରେ ତାଙ୍କୁ ଏହା କହିଥିବା ନେଇ ଯୁକ୍ତି ବାଢ଼ିଥିଲେ । ଛତ୍ରପତି ଶିବାଜୀଙ୍କ ପୁନର୍ଜନ୍ମ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ହେବା ପରେ ଦେଶକୁ ବିକଶିତ ଭାରତ କରିବା ଦିଗରେ ଲାଗି ପଡିଛନ୍ତି ବୋଲି କହିଥିଲେ ପ୍ରଦୀପ । 

Advertisment

ଏବେ ସାଂସଦ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ବାହାରିଛନ୍ତି ଗନ୍ଧମାର୍ଦ୍ଦନ ପାହାଡରେ ରହୁଥିବା ସାଧୁ ଗିରିଜା ଶଙ୍କର ଦାସ । କ୍ୟାମେରା ସାମ୍ନାକୁ ଆସି ମୋଦୀ ଛତ୍ରପତିଙ୍କ ପୁନର୍ଜନ୍ମ ବୋଲି କହିଛନ୍ତି । ସାଧୁ ଗିରିଜା ଶଙ୍କର ଦାସ ୭ବର୍ଷ ଧରି ବିନା ପାଣି ପିଇ ମଡୋଖାଲ ଗୁମ୍ଫାରେ ତପସ୍ୟାରତ ଥିଲେ । ଏବେ ମହୁଲପାଲି - ପଲସାନି ଠାରେ ଏକ ଆଶ୍ରମ ସ୍ଥାପନ କରି ସେଠାରେ ସାଧନାରତ ଅଛନ୍ତି । ସେ କହିଛନ୍ତି ଯେ ମୋଦୀ ନିଜେ ନ ଚାହିଁବା ପର୍ଯ୍ୟନ୍ତ ଦୁନିଆର କୌଣସି ଶକ୍ତି ତାଙ୍କୁ କ୍ଷମତାଚ୍ୟୁତ କରି ପାରିବ ନାହିଁ । ଗିରିଜା ଶଙ୍କରଙ୍କ ବୟାନ ପରେ ଏହି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।