କମେଡିଆନ୍ ସମୟ ରୈନାଙ୍କ ଶୋ' ‘ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ’ ଏବେ ବିବାଦ ଘେରରେ ରହିଛି । ଶୋ’ରେ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ ଏବଂ ଅପୂର୍ବା ମଖୀଜାଙ୍କ ମନ୍ତବ୍ୟ ଦର୍ଶକଙ୍କୁ ଅସନ୍ତୁଷ୍ଟ କରିଛି । ଯେଉଁ କାରଣରୁ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି । ସୋ କଲ୍ଡ ଇନଫ୍ଲ୍ୟୁଏନ୍ସର୍ ବୋଲାଉଥିବା ରଣବୀର ଏବଂ ଅପୂର୍ବାଙ୍କ ଉପରେ ପୁଲିସ୍ କେସ୍ ମଧ୍ୟ ରୁଜୁ ହୋଇଛି । ଖାସ୍ କରି ନିଜ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଆଧ୍ୟାତ୍ମିକ , ମୋଟିଭେସନର କଥା କହୁଥିବା ରଣବୀର ଆହ୍ଲାବାଦିଆଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଏଫଆଇଆର୍ ରିପୋର୍ଟ କରାଯାଉଛି । କଳାକାରଙ୍କଠାରୁ ଆରମ୍ଭ କରି ରାଜନେତା , ଧର୍ମଗୁରୁ ପର୍ଯ୍ୟନ୍ତ ସମସ୍ତେ ଆହ୍ଲାବାଦିଆଙ୍କ ଟିପ୍ପଣୀକୁ ନେଇ ଛି ଛି କରୁଛନ୍ତି ।
/kanak/media/media_files/2025/02/15/WLewfBDdS3tAzLapdcij.jpg)
ସମସ୍ତେ ଆହ୍ଲାବାଦିଆଙ୍କ ଟିପ୍ପଣୀକୁ ନେଇ ନିଜ ନିଜର ମନ୍ତବ୍ୟ ରଖୁଛନ୍ତି । ଏହି ବିବାଦ ଉପରେ ବାଗେଶ୍ୱର ଧାମର ଧୀରେନ୍ଦ୍ର ଶାସ୍ତ୍ରୀ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ବାବା ବାଗେଶ୍ୱର କହିଛନ୍ତି ଯେ ଏଭଳି ଲୋକଙ୍କୁ କେବଳ କ୍ଷମା ମାଗିଲେ କାମ ଚଳିବ ନାହିଁ, ବରଂ ଏମାନଙ୍କୁ "ସଫା" କରିଦେବା ଉଚିତ୍ । ବାଗେଶ୍ବର ବାବା କହିଛନ୍ତି ଯେ ଜଣେ ବ୍ୟକ୍ତିର ଭୁଲ୍ ପାଇଁ କୋଟି କୋଟି ହିନ୍ଦୁଙ୍କ ଭାବନା ଆଘାତ ପହଞ୍ଚିଛି ଏବଂ ଏଭଳି ଭୁଲ୍ କରୁଥିବା ଲୋକଙ୍କୁ ଏମିତି ଶିକ୍ଷା ଦେବା ଉଚିତ୍ ଯେ ସେମାନେ ପୁନର୍ବାର ଏପରି କରିବାକୁ ଯେମିତି ସାହସ ନକରିବେ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏଭଳି ଲୋକ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ସନାତନ ସଂସ୍କୃତିକୁ ନଷ୍ଟ କରୁଛନ୍ତି ।
/kanak/media/media_files/2025/02/15/foszQu9hX75j6HYVtZN1.jpg)
ବିବାଦ ଉପରେ ସମୟ ରୈନା କ’ଣ କହିଲେ?
ଅନ୍ୟପଟେ, ସମୟ ରୈନା ନିଜ ୟୁଟ୍ୟୁବ୍ ଚ୍ୟାନେଲରୁ ‘ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ’ର ସମସ୍ତ ଭିଡିଓ ହଟାଇ ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ଏହି ବିବାଦକୁ ନେଇ ବହୁତ ଅସୁବିଧାରେ ଅଛନ୍ତି । ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଲୋକଙ୍କୁ ହସାଇବାର ଥିଲା ଏବଂ ସେ ପୁଲିସ୍ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।
/kanak/media/media_files/2025/02/15/XlGtUn87CB6tCNO5gxHq.jpg)
ଏହି ବିବାଦର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ‘ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ’ ଶୋ’ରେ ରଣବୀର୍ ଆହ୍ଲାବାଦିଆ ଜଣେ ପ୍ରତିଯୋଗୀଙ୍କୁ ତାଙ୍କ ବାପା,ମା’ଙ୍କ ସମ୍ବନ୍ଧକୁ ନେଇ ଆପତ୍ତିଜନକ ପ୍ରଶ୍ନ ପଚାରିଥିଲେ । ଯାହା ସୋସିଆଲ୍ ମିଡ଼ିଆରେ ଝଡ଼ ପରି ଭାଇରାଲ୍ ହୋଇଥିଲା । ଏହାପରେ ରଣବୀର କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ କିନ୍ତୁ ଲୋକଙ୍କ ରାଗ ଆଉ କମିନଥିଲା । ଏହି ମାମଲାରେ ସମୟ ରୈନା , ରଣବୀର ଆହ୍ଲାବାଦିଆ ଏବଂ ଶୋ’ର ନିର୍ମାତାଙ୍କ ବିରୋଧରେ ପୁଲିସ୍ କେସ୍ ମଧ୍ୟ ହୋଇଥିଲା । ମହାରାଷ୍ଟ୍ର ସାଇବର୍ ବିଭାଗ ଏହି ମାମଲାର ଯାଞ୍ଚ୍ କରୁଛି ।