କନକ ବ୍ୟୁରୋ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ ଜେଲ୍ରୁ ମୁକୁଳିଛନ୍ତି । ସୀତାପୁର ଜେଲରୁ ବାହାରିବା ପରେ ସପା ସମର୍ଥକ ଏବଂ ପୁଅ ଅଦିବ ତାଙ୍କୁ ସ୍ୱାଗତ କରିଥିଲେ । ଆଜମ ଖାନ ଯେତେବେଳେ ସୀତାପୁର ଜେଲରୁ ବାହାରିଲେ, ତାଙ୍କର ସେହି ପୁରୁଣା ଢାଞ୍ଚା ଦେଖିବାକୁ ମିଳିଥିଲା । ସେ କଳା ଚଷମା ଏବଂ ଧଳା କୁର୍ତ୍ତା ପିନ୍ଧି ସୀତାପୁର ଜେଲରୁ ବାହାରିବା ପରେ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଥିଲା । ଆଜମ ଖାନଙ୍କୁ ୭୨ଟି ମାମଲାରେ ଜାମିନ ମିଳିସାରିଛି । ଯେଉଁଥିରେ ସମ୍ପ୍ରତି କ୍ୱାଲିଟି ବାର ଲ୍ୟାଣ୍ଡ୍ ଗ୍ରାବ ମାମଲା ମଧ୍ୟ ଅନ୍ତର୍ଭୁକ୍ତ । ସେ ଅକ୍ଟୋବର ୨୦୨୩ରୁ ସୀତାପୁର ଜେଲରେ ଥିଲେ ।
ଆଜମ ଖାନ ମୁକୁଳିବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, 'ଆଜମ ଖାନଙ୍କୁ ମିଥ୍ୟା ମାମଲାରେ ଫସାଯାଇଥିଲା । ଆଜି ଆଜମ ଖାନ ଜେଲରୁ ମୁକ୍ତ ହୋଇଛନ୍ତି । ଆଜି ଆମ ସମସ୍ତଙ୍କ ପାଇଁ ଖୁସିର ଦିନ । ଆମେ ଆଶା କରୁଛୁ ଯେ ଆଗାମୀ ସମୟରେ ସମସ୍ତ ମାମଲା ଶେଷ ହେବ । ଅନ୍ୟ ସମାଜବାଦୀ ପାର୍ଟି ନେତାଙ୍କ ବିରୋଧରେ ଥିବା ମିଥ୍ୟା ମାମଲାଗୁଡ଼ିକ ମଧ୍ୟ ଶେଷ ହେବ । ଆମେ କୋର୍ଟଙ୍କ ରାୟକୁ ସ୍ୱାଗତ କରୁଛୁ, ସପା ସରକାର ସମସ୍ତ ନକଲି ମାମଲା ପ୍ରତ୍ୟାହାର କରିବ ।