କନକ ବ୍ୟୁରୋ: କାଲିଠୁ ଓଡିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ । ବିଜୁ ସ୍ୱାସ୍ଥ୍ୟ କାର୍ଡର ସ୍ଥାନ ନେବ ଏହି ଯୋଜନା । କଟକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଆୟୁଷ୍ମାନ ଯୋଜନା ଆରମ୍ଭ ହେବାକୁ ଯାଉଛି । ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ଦେଶର ୨୯୦୦୦ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ ।
କଟକ ବାଲିଯାତ୍ରା ତଳ ପଡିଆରେ ୬ ବର୍ଷ ପରେ ଆରମ୍ଭ ହେବାକୁ ଯାଉଛି ବିଜେପିର ଡ୍ରିମ ପ୍ରୋଜେକ୍ଟ ଆୟୁଷ୍ମାନ ଭାରତ । ଏଠାରେ ଆୟୋଜିତ ବିରାଟ ସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି.ନଡ୍ଡା, ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ମନ୍ତ୍ରୀ, ନେତାଙ୍କ ଉପସ୍ଥିତରେ ଲୋକଙ୍କୁ ବଣ୍ଟାଯିବ ଆୟୁଷ୍ମାନ କାର୍ଡ । କାଲି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ୨୦୧୮ରୁ ଏହି ଯୋଜନାକୁ ଲାଗୁ କରୁନଥିଲେ ପୂର୍ବ ବିଜେଡି ସରକାର । ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଚଳାଇଥିଲେ ସରକାର । ଏବେ ଏହି ବିଏସକେୱାଇ ଯୋଜନାର ସ୍ଥାନ ନେବ ଆୟୁଷ୍ମାନ ଯୋଜନା ।
କାଲି ପ୍ରାଥମିକ ଭାବେ କିଛି ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦେବା ପାଇଁ ନୂଆ କାର୍ଡ ପ୍ରସ୍ତୁତ ହୋଇ ରହିଛି । ଆୟୁଷ୍ମାନ ଯୋଜନାରେ ରାଜ୍ୟରେ ସାଢ଼େ ୩ କୋଟି ୪୬ ଲକ୍ଷ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ଉପକୃତ ହେବେ ୧କୋଟି ୩ ଲକ୍ଷରୁ ଅଧିକ ପରିବାର । ରୋଗୀଙ୍କୁ କ୍ୟାସଲେସ୍ ସୁବିଧା ଦିଆଯିବ। ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା । ଦେଶର ୨୯୦୦୦ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଚିକିତ୍ସା ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ ।
କାଲି ଆୟୁଷ୍ମାନ ଯୋଜନା କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । କଟକ ବାଦ୍ ୧୨ଟି ଜିଲ୍ଲାରେ ମନ୍ତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।