କନକ ବ୍ୟୁରୋ: ଆୟୁଷ୍ମାନ ଯୋଜନାରେ ଆଜି ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଅର୍ଥାତ ପୁରୁଷ ୫ ଲକ୍ଷ ଓ ମହିଳା ୧୦ ଲକ୍ଷ ଟଙ୍କା ଯାଏଁ ବୀମା ସହାୟତା ପାଇବେ । ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଯୋଜନା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଛନ୍ତି ।
ନୂଆବର୍ଷରେ ମହିଳାଙ୍କ ପାଇଁ ବଡ଼ ଘୋଷଣା । ଆୟୁଷ୍ମାନ ଯୋଜନାରେ ମହିଳାଙ୍କୁ ମିଳିବ ଅଧିକ ୫ ଲକ୍ଷ ଟଙ୍କାର ବୀମା ସୁବିଧା । ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରତି ପରିବାରର ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବ। ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଡାଟାବେସକୁ ଆଧାର କରି କାର୍ଡ ବଣ୍ଟନ କରାଯିବ । ଯେଉଁମାନଙ୍କର ଇ-କେୱାଇସି ହୋଇନାହିଁ ସେମାନଙ୍କୁ ମଧ୍ୟ ବିଚାରକୁ ନେବେ ସରକାର ।
ଫେବ୍ରୁଆରୀ ମାସରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଏହାଦ୍ବାରା ଉପକୃତ ହେବେ ରାଜ୍ୟର ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ। ମିଳିଥିବା ସୂଚନା ଅନୁସାରେ, ୬୭ ଲକ୍ଷ ପରିବାରକୁ ରାଜ୍ୟ ତାର ନିଜସ୍ୱ ପାଣ୍ଠିରୁ ଓ ୩୩ ଲକ୍ଷ ପରିବାରର ବୀମା ଟଙ୍କା କେନ୍ଦ୍ର ସରକାର ବହନ କରିବେ। ଦେଶର ୩୦ ହଜାର ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ । ଯୋଜନାର କାର୍ୟ୍ୟକାରୀତା ନେଇ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଚଳିତ ବର୍ଷ ନୂଆ ମେଡିକାଲ କଲେଜ ଖୋଲିବା ସହ ଡାକ୍ତର ନିଯୁକ୍ତି ଓ ଆୟୁଷ୍ମାନ ଲାଗୁ ସ୍ବାସ୍ଥ୍ୟ ବିଭାଗ ପାଇଁ ବଡ଼ ଚାଲେଞ୍ଜ ହେବ ।
ବିଏସକେୱାଇରେ ମହିଳାଙ୍କୁ ୧୦ ଲକ୍ଷର ସ୍ବାସ୍ଥ୍ୟବୀମା ଘୋଷଣା କରିଥିଲେ ପୂର୍ବ ସରକାର । ଆୟୁଷ୍ମାନକୁ ନେଇ ଦ୍ବନ୍ଦ୍ବ ଥିବା ବେଳେ ଆଜି ତାହା ଦୂର କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏବେ ଦେଶର ଯେକୌଣସି ସ୍ଥାନରେ ଥାଇ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ ରାଜ୍ୟବାସୀ।