କନକ ବ୍ୟୁରୋ: ଆୟୁଷ୍ମାନକୁ ନେଇ ହଟୁନି ଦ୍ବନ୍ଦ୍ବ । ଡାକ୍ତରଖାନା ଓ ରୋଗୀଙ୍କ ପରେ ଯୋଜନାକୁ ନେଇ ଭାରତୀୟ ମେଡିକାଲ ସଂଘ, ଆଇଏମଏ ଅସନ୍ତୋଷ ପ୍ରକାଶ କରିଛି । ବିଶେଷକରି ଓଟିପି, ପଞ୍ଜିକରଣ ଓ ପ୍ୟାକେଜକୁ ନେଇ ଆପତ୍ତି ଉଠାଇଛି ସଂଘ । ପୂର୍ବରୁ ଓଡିଶା ସଂଘ ବି ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିସାରିଛି । 

Advertisment
  • ଆୟୁଷ୍ମାନ ନେଇ ବଢ଼ୁଛି ପୁଳା ପୁଳା ଅଭିଯୋଗ
  • ହସପିଟାଲ ସଂଘ ପରେ ଆଇଏମଏର ଅସନ୍ତୋଷ

ରାଜ୍ୟ ସାରା କାର୍ଡ ବଣ୍ଟାଚାଲିଛି, କିନ୍ତୁ ଆୟୁଷ୍ମାନ ନାଁରେ ଆସିଲାଣି ମାଳ ମାଳ ଅଭିଯୋଗ । କେବଳ ରୋଗୀ ନୁହନ୍ତି ହସପିଟାଲ ସଂଘ ପରେ  ଭାରତୀୟ ମେଡିକାଲ ସଂଘ, ଆଇଏମଏ ଆୟୁଷ୍ମାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ମୁଖ୍ୟତଃ ବୈଷୟିକ ଓ କ୍ଲିନିକାଲ ସମସ୍ୟାକୁ ନେଇ ଆଇଏମଏ ଆପତ୍ତି ଉଠାଇଛି ।

ବୈଷୟିକ ସମସ୍ୟା

  • ରୋଗୀଙ୍କ ଓଟିପିରେ ସମସ୍ୟା ହେଉଛି
  • ପୁରୁଣା ୟୁଜର ଆଇଡି ପାସୱାର୍ଡ ବ୍ୟବସ୍ଥା ଉପରେ ଗୁରୁତ୍ବ
  • ସର୍ଭର ଡାଉନ୍‌ ଯୋଗୁଁ ରୋଗୀ ପଞ୍ଜୀକରଣ ଓ ଆବଶ୍ୟକ କାଗଜପତ୍ର ଦିଆଯାଇପାରୁନି
  • ସଫ୍ଟୱେୟାର ସମସ୍ୟା ରହୁଛି

କ୍ଲିନିକାଲ ସମସ୍ୟା

  • ପ୍ୟାକେଜ୍‌ଗୁଡ଼ିକର ଦର କମ୍‌ ଅଛି
  • ଅସ୍ତ୍ରୋପଚାର ପାଇଁ ଲାପ୍ରସ୍କୋପିକ ଓ ନର୍ମାଲର ପ୍ୟାକେଜ୍‌ ସମାନ, ଯାହା ସମ୍ଭବପର ନୁହେଁ ବୋଲି କହିଛି ଆଇଏମଏ । ଏ ବାବଦରେ ସରକାର ଆଲୋଚନା କରି ସମାଧାନ କରିବାକୁ ସଂଘ ଦାବି କରିଛି ।

୧୧ ତାରିଖରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଆରମ୍ଭ ହେଲା । କିନ୍ତୁ ମାତ୍ର ଦୁଇ ସପ୍ତାହ ମଧ୍ୟରେ କାର୍ଡକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ରୋଗୀଙ୍କ ଝାଳ ବୋହିଲାଣି । ଅନେକ କ୍ଷେତ୍ରରେ ରୋଗୀ ଖର୍ଚ୍ଚାନ୍ତ ହେବା ଅଭିଯୋଗ ଆସୁଛନ୍ତି । ଆୟୁଷ୍ମାନରେ ସମସ୍ୟା ନେଇ ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସମେଣ୍ଟ ଫୋରମ, ଏଓପିଏମଇଏଫ୍‌ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲା । ଏ ନେଇ ଏକ ଦାବିପତ୍ର ସରକାରଙ୍କୁ ଦିଆଯାଇଛି ।

ଆୟୁଷ୍ମାନକୁ ନେଇ ରାଜ୍ୟ ସଂଘ ପରେ ଜାତୀୟ ସଂଘର ଅସନ୍ତୋଷ ନୂଆ ଅଡୁଆ ସୃଷ୍ଟି କରିଛି । ସ୍ବାସ୍ଥ୍ୟ ବିଭାଗ ଏ ବାବଦରେ ଖୁବଶୀଘ୍ର ଦ୍ବନ୍ଦ୍ବ ଦୂର କରିବା ନେଇ ଆଶା କରାଯାଉଛି ।