କନକ ବ୍ୟୁରୋ : କାମ ଦେଲାନି ଆୟୁଷ୍ମାନ କାର୍ଡ । ରୋଗୀକୁ ଡିସଚାର୍ଜ କଲେନି ମେଡିକାଲ କର୍ତ୍ତୃପକ୍ଷ । ଶେଷରେ ନିଜ କଷ୍ଟ ଅର୍ଜିତ ସମ୍ପତ୍ତିକୁ ବିକ୍ରିକରି ସେହି ଅର୍ଥରେ ମେଡିକାଲ ବିଲ୍ ପୈଠ କରି ଅଧା ଚିକିତ୍ସାରୁ ନିଜ ଘରକୁ ଫେରିଲେ କିଡନି ରୋଗୀ । ରାୟଗଡ଼ା ସଦର ବ୍ଲକ୍ ଡାଙ୍ଗଲୋଡ଼ି ଗାଁର ୪୭ ବର୍ଷୀୟ ବୃନ୍ଦାବନ ରାଉଲା କିଡ୍‌ନି ରୋଗରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଆନ୍ଧ୍ରକୁ ଯାଇଥିଲେ । ଆୟୁଷ୍ମାନ କାର୍ଡରେ ଥିବା ଅର୍ଥରେ ଚିକିତ୍ସିତ ହୋଇ ସୁସ୍ଥ ହେବେ ବୋଲି ବଡ଼ ଆଶା ରଖିଥିଲେ । ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ଡାକ୍ତରଖାନାରେ ଆୟୁଷ୍ମାନ କାର୍ଡ କାମ କରିବନି, ଚିକିତ୍ସା ବାବଦକୁ ୩ ଲକ୍ଷ ଟଙ୍କା ପୈଠ କରିବାକୁ ମେଡିକାଲ କର୍ତ୍ତୃପକ୍ଷ କହିବାରୁ ବୃନ୍ଦାବନଙ୍କ ପାଦତଳୁ ମାଟି ଖସିଯାଇଥିଲା ।

Advertisment

ଘରୋଇ ଡାକ୍ତରଖାନା ସରକାରୀ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ ନକରିବାରୁ ରୋଗୀ ଜଣଙ୍କ ନିରୁପାୟ ହୋଇ ସୁନା ଗହଣା ଓ ଜମି ବିକିଦେଲେ । ସେହି ଟଙ୍କାକୁ ଡାକ୍ତରଖାନାରେ ପୈଠ କରିବା ପରେ ସେଠାରୁ ଘରକୁ ଫେରିପାରିଥିବା କହିଛନ୍ତି ବୃନ୍ଦାବନ । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବୃନ୍ଦାବନଙ୍କ କଥା ଯଦି ସତ ହୋଇଥାଏ ତେବେ, ଆୟୁଷ୍ମାନ କାର୍ଡ କଣ ପାଇଁ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।

ସ୍ତ୍ରୀ, ଦୁଇଝିଅ ଏବଂ ଗୋଟିଏ ପୁଅକୁ ନେଇ ବୃନ୍ଦାବନଙ୍କ ପରିବାର । ରାଜମିସ୍ତ୍ରି କାମ କରି ପରିବାର ପୋଷଣ କରୁଥିଲେ । ହେଲେ ୫ ମାସ ହେଲା ସେ କିଡ୍‌ନି ରୋଗରେ ପୀଡ଼ିତ ହେବାରୁ ସ୍ତ୍ରୀ ଶେରଦା କୁଲି କାମ କରି ପିଲାଙ୍କ ପେଟକୁ ଦାନା ଯୋଗାଡ଼ କରୁଛନ୍ତି । ହେଲେ ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ତୁଲାଇ ପାରୁନାହାନ୍ତି ପରିବାର ।