କନକ ବ୍ୟୁରୋ : ବିଏସକେୱାଇ ବନ୍ଦ ହୋଇ ଆୟୁଷ୍ମାନ ଯୋଜନା ଆରମ୍ଭ ପରେ ସରୁନି ସମସ୍ୟା । ରୋଗୀ ହଇରାଣ ହେଉଛନ୍ତି, ଡାକ୍ତରଖାନା କର୍ତ୍ତୃପକ୍ଷ ବି ସମସ୍ୟା ଭୋଗୁଛନ୍ତି । ଏ ନେଇ ସୋମବାରଦିନ ଆଲୋଚନା ହୋଇଛି । ସ୍ବାସ୍ଥ୍ୟବିଭାଗର ଟେକନିକାଲ ଟିମ୍ ସାସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଅଲ ଓଡିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ, ଏଓପିଏମଇଏଫ କହିଛି, ପରିଚାଳନାଗତ ଓ ସଫଟୱେର ସମସ୍ୟା ସମାଧାନର ପ୍ରତିଶ୍ରୁତି ମିଳିଛି ।ଚିକିତ୍ସାବେଳେ ଆଡ୍‌ ଅନ୍‌ ବ୍ୟବସ୍ଥା ହୋଇପାରୁନି । ଚିକିତ୍ସା ପ୍ୟାକେଜ ଗୁଡିକର ମୂଲ୍ୟ କମ ରହିଛି । ଓଟିପିରେ ସମସ୍ୟା ହେଉଛି ।

Advertisment

ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି । ବିଏସକେୱାଇରେ ଥିବା ଅନ ସ୍ପେସିଫାଏଡ କୋଡ୍‌ ବ୍ୟବସ୍ଥା ଅନୁସାରେ ଯେଉଁ ରୋଗ ତାଲିକାରେ ନଥିଲା ତାର ଚିକିତ୍ସା ମଧ୍ୟ ହୋଇପାରୁଥିଲା । ଆୟୁଷ୍ମାନରେ ଏଭଳି ରୋଗ ପାଇଁ ସମସ୍ୟା ହେଉଛି । ବିଏସକେୱାଇରେ ଟେକ୍ନିକାଲ ଟିମ ତୁରନ୍ତ ସମସ୍ୟାର ସମାଧାନ କରୁଥିଲେ । କିନ୍ତୁ ଆୟୁଷ୍ମାନରେ ଏ ନେଇ ସମସ୍ୟା ହେଉଛି । ଆଉ ଏହାର ସମାଧାନ ହେବ ବୋଲି ଆଶା ରଖିଛି ଏଓପିଏମଇଏଫ ।

ଆୟୁଷ୍ମାନ ଯୋଜନାରେ ଅନେକ ସମସ୍ୟା ରହିଛି । ରୋଗୀ ଚିକିତ୍ସାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏ ନେଇ ମାଳମାଳ ଅଭିଯୋଗ ଆସିବା ପରେ ସ୍ବାସ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ଚିକିତ୍ସାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘରୋଇ ହସ୍ପିଟାଲଗୁଡିକୁ ତାଗିଦ କରିଛନ୍ତି । ସେ କହିଛନ୍ତି, ଆୟୁଷ୍ମାନ ପ୍ୟାକେଜ ବଢାଇବାକୁ ଅନୁଧ୍ୟାନ ଚାଲିଛି ।

ଏବେ ସାସ ଓ ଡାକ୍ତରଙ୍କ ମଧ୍ୟରେ ଆଲୋଚନା ପରେ ଆୟୁଷ୍ମାନ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି ।