Ayush Doctors Photograph: (Kanak News)
କନକ ବ୍ୟୁରୋ : ଲୋୟର ପିଏମଜିରେ ଆୟୁଷ ଡାକ୍ତର । ୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ଆୟୁଷ ଡାକ୍ତର । ଫଳରେ ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୋଇଛି ସ୍ୱାସ୍ଥ୍ୟସେବା । ଅନ୍ୟପଟେ ଆୟୁଷ ଡାକ୍ତର କହିଛନ୍ତି, ସରକାର ସମାଧାନର ରାସ୍ତା ବାହାର ନ କଲେ ଆନ୍ଦୋଳନରୁ ହଟିବୁ ନାହିଁ ।
ଦୀର୍ଘଦିନର ଦାବିକୁ ନେଇ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତର । ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଶହ ଶହ ଆୟୁଷ ଡାକ୍ତର । ୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ଆୟୁଷ ଡାକ୍ତରଙ୍କ ସଙ୍ଗଠନ । ବାରମ୍ବାର ସରକାରଙ୍କୁ ଜଣାଇ ବିଫଳ ହେଲା ପରେ ଆଜି ଦେଇଛନ୍ତି ରଣହୁଙ୍କାର । ବର୍ଷ ବର୍ଷ ଧରି ସେବା ଯୋଗାଉଥିଲେ ମଧ୍ୟ କାହିଁକି ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରାଯାଉନି ବୋଲି ପ୍ରଶ୍ନ ଉଠାଇଛି ସଂଘ ।
ଅଧିକ ପଢ଼ନ୍ତୁ : ରାଜରାସ୍ତାରେ ଆୟୁଷ ଛାତ୍ରଛାତ୍ରୀ; ସରକାରଙ୍କୁ ମାଗିଲେ ଲିଖିତ ପ୍ରତିଶ୍ରୁତି
ଆୟୁଷ ଡାକ୍ତରଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି । ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିଲେ ମଧ୍ୟ କାହିଁକି ଆୟୁଷ ଡାକ୍ତରଙ୍କୁ ଅଣଦେଖା କରାଯାଉଛି ? ସମାନ କାମକୁ କାହିଁକି ମିଳିବନି ସମାନ ଦରମା ? ସରକାରଙ୍କ କର୍ମଠ କର୍ମଚାରୀ ଭାବେ ଦିନରାତି ଏକ କରି କାମ କରୁଥିଲେ ମଧ୍ୟ ଦାବି ଶୁଣିବାକୁ କେହି ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ଆୟୁଷ ଡାକ୍ତର । ଆନ୍ଦୋଳନ ପାଇଁ ବାଧାପ୍ରାପ୍ତ ହୋଇଛି ସ୍ୱାସ୍ଥ୍ୟ ସେବା ।
ଗୋଟିଏ ପଟେ ଆୟୁଷ ଡାକ୍ତର ଆନ୍ଦୋଳନରେ ବସିଥିବା ବେଳେ ଅନ୍ୟପଟେ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନର ଦିବାରାତ୍ର ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି ।
Follow Us