କନକ ବ୍ୟୁରୋ:  ଇରାନର ସର୍ବୋଚ୍ଚ ନେତା ଆୟାତୋଲା ଅଲି ଖାମେନେଇ ସମସ୍ତ ମୁସଲିମ ଦେଶମାନଙ୍କୁ ଇସ୍ରାଏଲ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଅପିଲ୍  କରିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲ୍ ବିରୁଦ୍ଧରେ ମୁସଲିମ୍ ରାଷ୍ଟ୍ରମାନଙ୍କର ଏକତା ବଡ଼ ବିଜୟ ଆଣିଦେବ। ସେ ଏହି ଆହ୍ୱାନ ଏପରି ଏକ ସମୟରେ ଦେଇଛନ୍ତି ଯେତେବେଳେ ଗାଜାରେ ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି ଏବଂ ଅନେକ ମୁସଲିମ୍ ଦେଶ ଇସ୍ରାଏଲ୍ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି । ଖାମେନେଇ ତାଙ୍କ ବକ୍ତବ୍ୟରେ କହିଛନ୍ତି, "କିଛି ଇସଲାମିକ୍ ଦେଶ ନିଜ ସରକାରର ମତକୁ ଅଣଦେଖା କରି ଇସ୍ରାଏଲ୍ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି । ମୁଁ ସେମାନଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏହି କାର୍ଯ୍ୟରୁ ନିବୃତ୍ତ ହୁଅନ୍ତୁ । ଇସ୍ରାଏଲ୍ ସହିତ ସମ୍ପର୍କ ସ୍ଥାପନ କରିବା ଦ୍ୱାରା କେବଳ  ପାଲେଷ୍ଟାଇନ୍‌ର ଲୋକଙ୍କୁ ନୁହେଁ, ସମଗ୍ର ଇସଲାମିକ୍ ଉମ୍ମାକୁ ବିଶ୍ୱାସଘାତକତା କରାଯିବ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଇସ୍ରାଏଲ୍ ଏକ ବେଆଇନ ଶାସନ। ଏହାକୁ ଅସ୍ୱୀକାର କରିବା ଉଚିତ୍ ।  ଖାମେନେଇ ଦାବି କରିଛନ୍ତି ଯେ, "ଯଦି ସମସ୍ତ ମୁସଲିମ୍ ଦେଶ ଇସ୍ରାଏଲ୍ ସହିତ ସମସ୍ତ ସମ୍ପର୍କ ଛିନ୍ନ କରନ୍ତି ଏବଂ ପାଲେଷ୍ଟିନ୍‌ମାନଙ୍କୁ ସମର୍ଥନ କରନ୍ତି, ତେବେ ଗାଜାରେ ଇସ୍ରାଏଲର ଅତ୍ୟାଚାର ବନ୍ଦ ହୋଇଯିବ।"

Advertisment

  ଇରାନର ସର୍ବୋଚ୍ଚ ନେତାଙ୍କ ଏହି ଆହ୍ୱାନ ଏମିତି ଏକ ସମୟରେ ଆସିଛି, ଯେତେବେଳେ ଅନେକ ଆରବ ଦେଶ ଯଥା ୟୁଏଇ, ବାହାରିନ, ସୁଦାନ ଏବଂ ମୋରୋକୋ ଇସ୍ରାଏଲ୍ ସହିତ ସମ୍ପର୍କ ସ୍ଥାପନ କରିଛନ୍ତି । ଏହି ଦେଶଗୁଡ଼ିକ ଇସ୍ରାଏଲ୍ ସହିତ ଶାନ୍ତି ଚୁକ୍ତି କରିଛନ୍ତି ଏବଂ ଏହାକୁ "ଏବ୍ରାହମ ଚୁକ୍ତି" ଭାବରେ ଜଣାଯାଏ। ଇରାନ ଏହି ଚୁକ୍ତିଗୁଡ଼ିକୁ ସର୍ବଦା ନିନ୍ଦା କରିଛି ଏବଂ ଏହାକୁ "ଇସଲାମିକ ଜଗତ ପାଇଁ ବିଶ୍ୱାସଘାତକତା" ବୋଲି ବର୍ଣ୍ଣନା କରିଛି।

ଖାମେନେଇଙ୍କ ମତରେ, ଏହି ଚୁକ୍ତିଗୁଡ଼ିକ  ପାଲେଷ୍ଟାନି ମାନଙ୍କୁ ଦୁର୍ବଳ କରୁଛି ଏବଂ ଇସ୍ରାଏଲକୁ ନିଜର ଆକ୍ରାମକ ନୀତି ଜାରି ରଖିବାକୁ ପ୍ରୋତ୍ସାହିତ କରୁଛି। ସେ ଦୃଢ଼ ଭାବରେ କହିଛନ୍ତି ଯେ ପାଲେଷ୍ଟାନିଙ୍କ ସମସ୍ୟାର ସମାଧାନ ପାଇଁ ଇସଲାମିକ୍ ଦେଶମାନଙ୍କୁ ଏକଜୁଟ ହେବାକୁ ପଡ଼ିବ। ତାଙ୍କ ମତରେ, କେବଳ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ରାଜନୈତିକ ଏବଂ ଅର୍ଥନୈତିକ ଚାପ ମାଧ୍ୟମରେ ହିଁ ଇସ୍ରାଏଲକୁ ରୋକାଯାଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆମେ ପାଲେଷ୍ଟାନିର ଲୋକଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ ଏବଂ ସେମାନଙ୍କର ହକ୍ ପାଇଁ ସର୍ବଦା ଲଢ଼ିବୁ।" ଖାମେନେଇଙ୍କ ଏହି ବୟାନ ମଧ୍ୟପ୍ରାଚ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି ।  ଗାଜାରେ ଚାଲି0ଥିବା ଯୁଦ୍ଧରେ, ଇରାନ ହାମାସକୁ ସମର୍ଥନ କରୁଛି ଏବଂ ଇସ୍ରାଏଲ୍ ଉପରେ ହାମାସର ଆକ୍ରମଣକୁ ଇରାନ ସମର୍ଥନ କରିଛି। ତେବେ, ଇରାନ ସିଧାସଳଖ ଯୁଦ୍ଧରେ ଭାଗ ନେଇନାହିଁ ।  

ଖାମେନେଇଙ୍କ ଆହ୍ୱାନ ସତ୍ତ୍ୱେ, ଅନେକ ମୁସଲିମ୍ ଦେଶ ଇସ୍ରାଏଲ୍ ସହିତ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି । ସେମାନେ ମନେକରନ୍ତି ଯେ ଇସ୍ରାଏଲ୍ ସହିତ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ସେମାନେ ଅର୍ଥନୈତିକ ଏବଂ ସୁରକ୍ଷା ଦୃଷ୍ଟିରୁ ଲାଭବାନ ହେବେ। ତେଣୁ, ଇରାନର ଏହି ଆହ୍ୱାନ ମୁସଲିମ୍ ଦେଶରେ କେତେ ପ୍ରଭାବ ପକାଇବ ତାହା ସମୟ କହିବ ।