କନକ ବ୍ୟୁରୋ: ସୋନପୁର ପୁଲିସର ଅଜବ ନୀତି । ଗଞ୍ଜେଇ ଚାଲାଣକାରୀଙ୍କ ପ୍ରତି ପ୍ରବଳ ଦରଦ । ଗଞ୍ଜେଇ ଜବତ ପରେ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ ନକରି ଛାଡ଼ିଦେଲା । ଦୁଇ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଜବତ କରିଥିଲା ପୁଲିସ । କିନ୍ତୁ ଏଫଆଇଆରର ଗୋଟିଏ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଜବତ ହୋଇଥିବା ଉଲ୍ଲେଖ ରହିଛି । ଗଞ୍ଜେଇ ମାଫିଆଙ୍କ ପ୍ରତି ସୋନପୁର ପୁଲିସର ଏପରି ଅନୁକମ୍ପାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ଗତ ୯ତାରିଖରେ ସୋନପୁର ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବାଇକ ଚାଳକ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ି ରହିଥିବା ବେଳେ ଅନ୍ୟ ଜଣେ ଯୁବକ ଚମ୍ପଟ ମାରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ଦୁଇଟି ବ୍ୟାଗ୍ ଓ ବାଇକକୁ ଜବତ କରିଥିଲା, ହେଲେ ଗଞ୍ଜେଇ ଚାଲାଣକାରୀଙ୍କୁ ଛାଡ଼ି ଦେଇଥିଲା । ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରଚାର ପରେ ପୁଲିସ ୧୧ ତାରିଖରେ ମାମଲା ରୁଜୁ କରିଛି । ହେଲେ ଗଞ୍ଜେଇ ଚାଲାଣ କରୁଥିବା ଯୁବକ ଏବେ କେଉଁଠି ତାହା ସୋନପୁର ଏସପିଙ୍କୁ ମଧ୍ୟ ଜଣାନାହିଁ । ୯ ତାରିଖ ପୂର୍ବାହ୍ନର ଘଟଣାକୁ ୧୧ ତାରିଖ ସନ୍ଧ୍ୟାର ଘଟଣା ବୋଲି ଏଫଆଇଆରରେ ଦର୍ଶାଯାଇଛି। ଘଟଣାସ୍ଥଳରୁ ୨ଟି ବ୍ୟାଗ୍ ମିଳିଥିବା ବେଳେ ପୁଲିସ ଏଫଆଇଆରରେ ଗୋଟିଏ ବ୍ୟାଗ ଥିବା ଦର୍ଶାଯାଇଛି । ତେଣୁ ପ୍ରଶ୍ନ ଉଠୁଛି ଗଞ୍ଜେଇ ମାଫିଆ କେଉଁଠି ଏବଂ ଅନ୍ୟ ବ୍ୟାଗର ଗଞ୍ଜେଇ ଗଲା କୁଆଡ଼େ?