କନକ ବ୍ୟୁରୋ : ସନ୍ତାନକୁ ବଡ଼ କରିବା ପାଇଁ ପିଲାଟି ବେଳୁ ବାପା,ମା’ କେତେ ଝଡ଼ଝଞ୍ଜା ଦେଇ ଗତି କରନ୍ତି ତାହା କାହାକୁ ଅଛପା ନୁହେଁ । କିନ୍ତୁ କିଛି କ୍ଷେତ୍ରରେ ସନ୍ତାନ ସେହି ତ୍ୟାଗକୁ ଭୁଲି ବାପା,ମା’ଙ୍କୁ ବୃଦ୍ଧାଶ୍ରମର ରାସ୍ତା ଦେଖାଇ ଦିଅନ୍ତି । ଆନ୍ଧ୍ରପ୍ରଦେଶର ଇଷ୍ଟ୍ ଗୋଦାବରୀ ଜିଲ୍ଲାରେ ଏର୍ଣ୍ଣାଗୁଡେମ ଗାଁ ରହିଛି ଯେଉଁଠାରେ ୫୨ ବର୍ଷୀୟ ମସ୍କା ଗୋପୀଙ୍କ ଅଟୋ ସେତେବେଳେ ଯାଏଁ ଗଡ଼େନି ଯେତେବେଳେ ଯାଏଁ ତାଙ୍କ ମା’ ଅଟୋରେ ବସିନାହାନ୍ତି । ଗୋପୀ ୧୯୯୭ ରୁ ଅଟୋ ଚଲାଇ ଆସୁଛନ୍ତି କିନ୍ତୁ ଗତ ୧୦ ବର୍ଷ ହେଲାଣି ତାଙ୍କ ମା’ ସତ୍ୟବତୀ ତାଙ୍କ ‘ସଫରର ସାଥି’ ହୋଇଛନ୍ତି । ୨୦୧୨ ରେ ଯେତେବେଳେ ଗୋପୀଙ୍କ ବାପାଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ହୋଇଥିଲା । ତାଙ୍କ ମା’ ଉଭୟ ଭାବନାତ୍ମକ ଏବଂ ଶାରୀରିକ ରୂପରୁ ଭାଙ୍ଗି ପଡ଼ିଥିଲେ । କଥାରେ ଅଛି ଯାହା ପୁଅକୁ ସାପ କାମୁଡ଼େ ତା’ ମା’ ପାଳ ଦଉଡ଼ି ଦେଖିଲେ ଡ଼ର । ସ୍ବାମୀଙ୍କ ଦୁର୍ଘଟଣା ପରେ ସବୁବେଳେ ମା’ଙ୍କ ମୁଣ୍ଡରେ ପୁଅର ଚିନ୍ତା ଲାଗିରହିଲା । କେଉଁଠି ଦୁର୍ଘଟଣା ଖବର ଶୁଣିଲେ ବ୍ୟତିବ୍ୟସ୍ତ ହୋଇପଡୁଥିଲେ ସତ୍ୟବତୀ । ଖାଇବା ଛାଡ଼ି ସେ ମନ ଦୁଃଖରେ ସବୁବେଳେ ରହିଲେ ।
/filters:format(webp)/kanak/media/media_files/2025/08/07/andhra-auto-driver-2025-08-07-17-46-34.jpg)
ମା’ଙ୍କ ଏଭଳି ଅବସ୍ଥା ଦେଖି ଦିନେ ଗୋପୀ ତାଙ୍କୁ ନିଜ ସହ ଯିବା ପାଇଁ କହିଥିଲେ ଏବଂ ସେହି ଦିନଠାରୁ ମା’ଙ୍କୁ ନେଇ ଗୋପୀ ଅଟୋରେ ସବୁବେଳେ ଯିବା ଆସିବା କଲେ । ଧିରେ ଧିରେ ମା’ଙ୍କ ଦେହ ସୁସ୍ଥ ହେବା ଏବଂ ତାଙ୍କ ମୁହଁରେ ଖୁସି ଦେଖି ଗୋପୀ ତାଙ୍କୁ ପ୍ରତିଦିନ ଅଟୋରେ ନେବା ପାଇଁ ମନସ୍ଥ କଲେ । ଏବେ ଯେତେବେଳେ ବି ଗୋପୀ ଯାତ୍ରୀଙ୍କୁ ନେଇ ଅଟୋରେ ଯାଆନ୍ତି ତାଙ୍କ ସହ ସତ୍ୟବତୀ ବି ଯାତ୍ରା କରନ୍ତି । ଏଥିରେ ଗୋପୀଙ୍କୁ କମ୍ ଭଡ଼ା ମିଳେ କିନ୍ତୁ ମା’ଙ୍କ ମୁହଁର ହସ ଆଗରେ ଲକ୍ଷ ଲକ୍ଷ ଟଙ୍କା ବି କିଛି ନୁହେଁ ବୋଲି କୁହନ୍ତି ଗୋପୀ । ସେ କୁହନ୍ତି , ‘ମୋ ମା’ ପିଲାବେଳେ ମତେ ବହୁତ ପ୍ରେମର ସହ ବଡ଼ କରିଛନ୍ତି ଆଉ ଏବେ ପାଳି ମୋର’ ।