କନକ ବ୍ୟୁରୋ: ଗାଁରେ ରାସନ ସାମଗ୍ରୀ ପାଇବା ପାଇଁ ହିତାଧିକାରୀଙ୍କୁ ଦେବାକୁ ପଡୁଛି ଟଙ୍କା। ଟଙ୍କା ନଦେଲେ ଯିବାକୁ ପଡୁଛି ୨୦ କିଲୋମିଟର ଦୂର ।
- ଟଙ୍କା ଦେଲେ ଗାଁରେ ପହଞ୍ଚୁଛି ରାସନ
- ନହେଲେ ୨୦ କିଲୋମିଟର ଚାଲ
ନଦୀ ଆରପଟେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଟୁଙ୍ଗା ପଞ୍ଚାୟତର ବଉଳଯୋଡ଼ି ଡ଼ିହା ଗାଁ। ପଞ୍ଚାୟତଠାରୁ ୨୦ କିଲୋମିଟର ଦୂର l ଗାଁରେ ପ୍ରାୟ ୧୦୦ ଜଣ ହିତାଧିକାରୀ ଅଛନ୍ତି । କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଡିଲର ଗାଁରେ ରାସନ ଦେବା ପାଇଁ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଗତ ମାସରେ ହିତାଧିକାରୀ ଟଙ୍କା ନ ଦେବାରୁ ଡିଲର ଗାଁରେ ଚାଉଳ ନଦେଇ ୨୦ କିଲୋମିଟର ଦୂର ପଞ୍ଚାୟତ ସେଣ୍ଟରରୁ ଚାଉଳ ନେବାକୁ କହିଥିଲେ l ଖର୍ଚ୍ଚାନ୍ତ ହୋଇଥିଲେ ହିତାଧିକାରୀ। ଦଳୀୟ ଭିତ୍ତିରେ ବି ରାସନ ବଣ୍ଟାଯାଉଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ତତ୍କାଳୀନ ଯୋଗାଣ ନିରୀକ୍ଷକ ତଥା ବର୍ତ୍ତମାନର ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ପୁନମ ଜେନା ତଦନ୍ତ କରିଥିଲୋ। ରାସନ ସାମଗ୍ରୀ ପରିବହନ ବାବଦରେ ଟଙ୍କା ନେଇଥିବା ଡିଲର ସ୍ୱୀକାର ବି କରିଛନ୍ତି। ସେପଟେ ହିତାଧିକାରୀଙ୍କ ଦାବି ଅନୁସାରେ, ସମସ୍ୟା ସୁଧାରିବା ପାଇଁ ରାଜକନିକା ବ୍ଲକର ପାଖ ଡିଲରଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ୱାନ ନେସନ ୱାନ କାର୍ଡ ନିୟମରେ ରାସନ ଦେବାକୁ ପ୍ରଥମେ ରାଜି ହୋଇ ପରେ ମନା କରିଛନ୍ତି l ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି, ହିତାଧିକାରୀମାନ ଡିଲରଙ୍କୁ ଟଙ୍କା ନଦେଇ ଡିଲର ପଏଣ୍ଟରୁ ରାସନ ନେଇ ପାରିବେ l
ପ୍ରଶ୍ନ ଉଠୁଛି, ପାଞ୍ଚ କିଲୋ ଚାଉଳ ପାଇଁ କାହିଁକି ୨୦ କିଲୋମିଟର ଯିବେ ହିତାଧିକାରୀ? ଘର ପାଖରେ ରାସନ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କାହିଁକି କରାଯାଉନି?