କନକ ବ୍ୟୁରୋ: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ବାଲେଶ୍ବର ପୀଡ଼ିତାଙ୍କ ନ୍ୟାୟ ଦେବାକୁ ଏଭଳି ଡାକରା ଦେଇଛି କଂଗ୍ରେସ । ଏଥିପାଇଁ ଆଜି ସକାଳୁ ସକାଳୁ ଚାରିଆଡ଼େ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାଜରାସ୍ତାରେ ଶହଶହ ଟ୍ରକ୍ ଛିଡ଼ା ହୋଇଛି । ଏଥିରେ ବାହାରୁ ଆସିଥିବା ଲୋକେ ଯେତିକି ହଟହଟା ହେଉଛନ୍ତି ଗାଡ଼ି ଚଳାଇ ଦି ପଇସା ରୋଜଗାର କରୁଥିବା ଡ୍ରାଇଭର ତା’ଠୁ ବଳି ହଇରାଣ ହେଉଛନ୍ତି । ବାରମ୍ବାର ଷ୍ଟ୍ରାଇକ୍ ଯୋଗୁଁ ସେମାନଙ୍କ ବେପାର ମାନ୍ଦା ପଡ଼ୁଥିବାରୁ ପରିବାର ଚଳାଇବା ଏବେ ସେମାନଙ୍କ ପାଇଁ କଷ୍ଟକର ହେଉଛି ବୋଲି କହିଛନ୍ତି ଭୁବନେଶ୍ବରର ଅଟୋ ଚାଳକ ।
ଜଣେ ଅଟୋ ଚାଳକ କହିଛନ୍ତି, ’ନିକଟରେ ଡ୍ରାଇଭର ଷ୍ଟ୍ରାଇକ୍ ହେଲା ସେଥିରେ ଯାହା ଘାଟା ଖାଇଲୁ । ତାପରେ ଆଜି କଂଗ୍ରେସ ଓଡ଼ିଶା ବନ୍ଦ କରିଛି ,ଆମେ ଭାରି ହଇରାଣ ହେଉଛୁ । ପାସେଞ୍ଜର ଆସୁଥିଲେ ବି ସେମାନଙ୍କୁ ନେବାକୁ ଆମେ ଡରୁଛୁ ,କାଳେ ଆନ୍ଦୋଳନକାରୀ ଆମ ଗାଡ଼ି ଭାଙ୍ଗିଦେବେ ସେଇ ଡରରେ ଗାଡି କାଢ଼ିବାକୁ ଡର ଲାଗୁଛି । ବାଲେଶ୍ବର ପୀଡିତାଙ୍କ ଘଟଣାରେ ତ ଦୋଷୀ ଧରାପଡ଼ିଛି । ଏ ଘଟଣାକୁ ନେଇ ବିରୋଧୀ ମେଣ୍ଟ କରି ବିରୋଧ କରନ୍ତୁ ଦୋଷୀକୁ ଦଣ୍ଡ ଦିଅନ୍ତୁ କିନ୍ତୁ ସାଧାରଣ ଜନତାଙ୍କୁ ହଇରାଣ ନ କରନ୍ତୁ । ଏଭଳି ରାଜନୀତି ଭଲ ନୁହେଁ ବରଂ ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଅନ୍ତୁ ନହେଲେ ସରକାରରେ ଯିଏ ଆସୁ ଏଭଳି ଅପରାଧ ହୋଇଚାଲୁଥିବ ’।
ଅନ୍ୟଜଣେ ଅଟୋ ଚାଳକଙ୍କ ମତରେ , ’ବାରମ୍ବାର ଏଭଳି ଓଡ଼ିଶା ବନ୍ଦ କରିବାରୁ ପବ୍ଲିକ ଯାହା ହଇରାଣ ହେଉଛନ୍ତି । ଆମେ ସାଧାରଣ ଅଟୋବାଲା ଅଟୋ ଚଲେଇଲେ ପରିବାର ପୋଷିବୁ । ଆଜି ଆମ ପାଖକୁ ପାସେଞ୍ଜର ଆସୁଛନ୍ତି କିନ୍ତୁ ତାଙ୍କୁ ନେବାକୁ ଆମକୁ ଡର ଲାଗୁଛି , କାଳେ କଂଗ୍ରେସବାଲା ଆମକୁ ମାରପିଟ କରିବେ । ଏଭଳି ଢଙ୍ଗରେ ଷ୍ଟ୍ରାଇକ କରିବା କଥା ନୁହେଁ । ବିଜେଡ଼ି ସମୟରେ କ’ଣ ଏଭଳି ଘଟଣା ହେଉନଥିଲା? ପରୀ ଠାରୁ ଆରମ୍ଭ କରି ମହାଙ୍ଗା ମର୍ଡର , କୁନ୍ଦୁଲି, ବେବିନା କେତେ ଘଟଣା ଘଟିଛି । ନାହିଁ ଖାଲି ଆମେ ଯାହା କଷ୍ଟ ପାଉଛୁ। ଆଜି ଭୋରୁ ଆସିଲୁଣି ଏଯାଏଁ ମାତ୍ର ୧୨୦ ଟଙ୍କା ବେପାର ହୋଇଛି। ଏଥିରେ ପରିବାର ଚଳେଇବୁ କେମିତି?