କନକ ବ୍ୟୁରୋ: ପୋଲିସର ବ୍ୟବହାର ଦିନକୁ ଦିନ ଖରାପ ହେବାକୁ ଯାଉଛି । ସାଧାରଣ ଲୋକଙ୍କୁ ନାଲିଆଖି ଦେଖାଇ କେତେବେଳେ ମାଡ଼ ମାରୁଛନ୍ତି ତ ଆଉ କେତେବେଳେ ଅକାରଣେ ଗାଳି ମଧ୍ୟ ଦେଉଛି । ଖାକି ବାବୁଙ୍କ ଦବଙ୍ଗଗିରିର ଦୃଶ୍ୟ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି । ଲୋକେ ତ କହିଲେଣି ଅପରାଧୀଙ୍କୁ ଧରିବାରେ ପୋଲିସ ଯେତେ ତତ୍ପର ନୁହେଁ ସାଧାରଣ ଲୋକଙ୍କୁ ହଇରାଣ କରିବାରେ ସେତିକି ଧ୍ୟାନ ଦେଉଛି ପୋଲିସ । କିଛି ଏମିତି ଖବର ଏବେ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁର ଅଂଚଳରୁ । ଯେଉଁଠାରେ ଜଣେ ଅଟୋ ଚାଳକ ପୋଲିସ ବାବୁଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।
ରାସ୍ତାରେ ପୋଲିସ ସଂପୃକ୍ତ ଚାଳକଙ୍କୁ ଗାଳିଗୁଲଜ କରିବା ସହିତ ଅସମ୍ମାନ ବି କରିଥିଲେ । ପରେ ଅଟୋ ଚାଳକ ଜଣକ ଏନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରି କଲେ । ଜିଲ୍ଲାପାଳ ସମୟ ଦେଇ ଅଟୋ ଚାଳକଙ୍କ କଥା ଶୁଣିଲେ ଏବଂ ଜାନୁଆରୀ ୨୬ ତାରିଖ ଅର୍ଥାତ୍ ଆଜି ଗଣତନ୍ତ୍ର ଦିବସ ଲାଗି ଅତିଥି କରି ଡାକିଲେ । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ କଲେକ୍ଟରଙ୍କୁ ଏନେଇ ସାବାସି ବି ଦିଆଯାଇଛି ।
କାନପୁରର ହନୁମନ୍ତ ବିହାରରେ ରହୁଥିବା ଅଟୋ ଚାଳକ ରାକେଶଙ୍କ ଅଭିଯୋଗ ଅନୁସାରେ, ରାସ୍ତାରେ ପ୍ରବଳ ଜାମ ଥିଲା । ତେଣୁ ସେ ଗାଡିରେ ହର୍ଣ୍ଣ ମାରିଥିଲେ । ଯାହାକୁ ନେଇ ପୋଲିସ ବାବୁ ନାଲିଆଖି ଦେଖାଇବା ସହିତ ବାଡିରେ ତାଙ୍କୁ ମାଡ଼ ମାରିଥିଲେ । ଏତିକିରେ ମନଶାନ୍ତି ହେଲାନାହିଁ ଯେ ଅଟୋକୁ ପିଟି ଭାଙ୍ଗିଦେଲେ । ବାବୁଙ୍କ ଏମିତି ଔଦ୍ଧତାକୁ ନେଇ ରାକେଶ ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ମାମଲାକୁ ସେତିକି ଗୁରୁତର ସହ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଯେହେତୁ ରାକେଶ ଜଣେ ଅଟୋ ଡ୍ରାଇଭର ତେଣୁ ପୋଲିସ ବିରୋଧରେ ସେ କାହାକୁ ଅଭିଯୋଗ କରିବେ ସେନେଇ ବୁଦ୍ଧିବାଟ ପାଇନଥିଲେ । ଆଉ ଜିଲ୍ଲାପାଳ ଅଭିଯୋଗ ଶୁଣାଣି କରୁଛନ୍ତି ବୋଲି ଜାଣିବା ପରେ ସିଧା ପହଞ୍ଚିଥିଲେ କଲେକ୍ଟର ଅଫିସ୍ରେ । ଆଉ ନିଜ ଅଭିଯୋଗ ବଖାଣିଥିଲେ କଲେକ୍ଟରଙ୍କ ସାମ୍ନାରେ ।
କାନପୁରର ନୂଆ କଲେକ୍ଟର ଏବେ ଜିତେନ୍ଦ୍ର ପ୍ରତାପ ସିଂହ । ନୂଆ କରି ଦାୟିତ୍ବ ନେବା ପରେ କେମିତି ଜିଲ୍ଲାବାସୀଙ୍କ ସମସ୍ୟାର ସମାଧାନ ହେବ ସେନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ସେଇଥି ଲାଗି ତ ଅଟୋ ଡ୍ରାଇଭରଙ୍କ ଗୁହାରି ଶୁଣିଛନ୍ତି । ସବୁ ଜାଣିବା ପରେ ଜିତେନ୍ଦ୍ର ତାଙ୍କୁ ସାଧାରଣତନ୍ତ୍ର ଦିବସରେ ଅତିଥି କରିବା ସହିତ ପ୍ରଶାସନ ସବୁବେଳେ ଲୋକଙ୍କ ସହ ରହିଥିବା ନେଇ ବାର୍ତ୍ତା ବି ଦେଇଛନ୍ତି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୁରା ଘଟଣାକୁ ପ୍ରଶାସନ ଗମ୍ଭୀରତାର ସହ ନେଇଛି । ଘଟଣାର ଟ୍ରାଫିକ ଡିସିପି ନିଜେ ତଦନ୍ତ କରୁଛନ୍ତି । ତେଣୁ ଯେଉଁ ପୋଲିସ ଅପରାଧ କରିଛନ୍ତି ତାଙ୍କ ବିରୋଧରେ ଦଣ୍ଡବିଧାନ ହେବ ବୋଲି କୁହାଯାଇଛି । ତେବେ ଜଣେ ସାଧାରଣ ଜନତାଙ୍କ ପ୍ରତି ପ୍ରଶାସନ ଯେଉଁପରି ଭାବରେ ମନୋଭାବ ଦେଖାଇଲେ ତାହାକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା ଚାଲିଛି ।