କନକ ବ୍ୟୁରୋ : ରାଜ୍ୟରେ ହାତୀ ସଂଖ୍ୟା ବଢ଼ି ଯାଇଛି । ହାତୀଙ୍କ ରହଣି ପାଇଁ ଜଙ୍ଗଲର ଅଭାବ ସାଙ୍ଗକୁ ଖାଦ୍ୟ ଅଭାବ ରହୁଥିବା ସରକାର କହିଛନ୍ତି । କିନ୍ତୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ଦେଖିବାକୁ କମିଯାଇଛି । କାରଣ ଏଠାରେ ହାତୀଙ୍କ ସଂଖ୍ୟା ଢେର କମି ଯାଇଛି। ସଂକ୍ରମଣ ଭୟ ଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ହାତୀ ରଖିବା ପାଇଁ ଭୟ କରୁଛନ୍ତି। ୧୦ଟି ସ୍ଥାନରେ ଅଛନ୍ତି ମାତ୍ର ୪ ହାତୀ । ସେଥିରୁ ମାତ୍ର ୨ଟି ହାତୀକୁ ପର୍ଯ୍ୟଟକଙ୍କୁ ସାମ୍ନାରେ ପ୍ରଦର୍ଶିତ କରାଯାଉଛି ।
 
ସବୁଦିନ ନନ୍ଦନକାନନକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ବିଭିନ୍ନ ପ୍ରକାର ପଶୁପକ୍ଷୀ ଦେଖିବା ସହ ହାତୀ ଦେଖି ଖୁସି ହୋଇଥାନ୍ତି । ହେଲେ ଏବେ ଏଠାରେ ହାତୀ ସଂଖ୍ୟା ଢେର କମିଯାଇଛି । ୨୦୧୯ରେ ହାତୀଙ୍କ ପାଇଁ କାଳ ହୋଇଥିଲା ହର୍‌ପିସ ଭାଇରସ ସଂକ୍ରମଣ । ମରିଥିଲେ ୪ ହାତୀ ଜଗନ, ଜୁଲି, ଗୌରୀ ଓ କମଲା । ହାତୀ ସଂଖ୍ୟା ଅଧା ହୋଇଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ଅଛନ୍ତି ୪ଟି ହାତୀ । ଛୁଆ ହାତୀ ଆଶା, ଲିସା, ୬୦ ବର୍ଷୀୟ ବାସନ୍ତୀ ଓ ୨୫ ବର୍ଷୀୟ ହୀରା । ପର୍ଯ୍ୟଟକଙ୍କ ଦେଖିବା ଲାଗି ବୟସ୍କ ଦୁଇ ହାତୀଙ୍କୁ ପ୍ରଦର୍ଶିତ କରାଯଉଛି ବୋଲି କହନ୍ତି ଅଧିକାରୀ ।

Advertisment

ନନ୍ଦନକାନନରେ ୪ଟି ମାଈ ହାତୀ ରହିଥିବା ବେଳେ ଦନ୍ତା ହାତୀ ନାହାଁନ୍ତି । ସଂରକ୍ଷିତ ହାତୀ ପ୍ରଜନନ କେନ୍ଦ୍ର ନାହିଁ । କେନ୍ଦ୍ରୀୟ ଚିଡିଆଖାନାର ନିର୍ଦ୍ଦେଶ ମୁତାବକ ଏଠାରେ କେବଳ ପର୍ଯ୍ୟଟକଙ୍କୁ ପ୍ରଦର୍ଶିତ କରାଯାଏ । ନନ୍ଦନକାନନରେ ଭଲ ପ୍ରାଣୀ ଚିକିତ୍ସା କେନ୍ଦ୍ର ରହିଛି। ଭଲ ଚିକିତ୍ସା ଉପକରଣ ସହିତ ଅଭିଜ୍ଞ ଡାକ୍ତର ଥିବାରରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ହାତୀଙ୍କୁ ଏଠାକୁ ଆଣି ଚିକିତ୍ସା ଯୋଗାଇ ଦିଆଯାଏ ।