କନକ ବ୍ୟୁରୋ: ଦିନିକିଆ କ୍ରିକେଟକୁ ଅଲବିଦା କହିଲେ ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସଓ୍ୱେଲ । ଅଷ୍ଟ୍ରେଲିଆକୁ ଅନେକ ମ୍ୟାଚରେ ବିଜୟ ଭେଟି ଦେଇଥିବା ଏହି ଷ୍ଟାର୍ କ୍ରିକେଟର୍ ଜଣକ ନିଜର ୧୩ ବର୍ଷର ଦିନିକିଆ କ୍ୟାରିୟରକୁ ବାଏ ବାଏ କହିଛନ୍ତି । ତେବେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ସହିତ ସେ କହିଥିଲେ, ୨୦୧୨ରୁ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପ୍ରଥମ ଫର୍ମାଟରୁ ସେ ସନ୍ନ୍ୟାସ ନେଉଛନ୍ତି ।
ଜାଣିରଖିବା ଉଚିତ ଯେ, ମ୍ୟାକ୍ସଓ୍ୱେଲ ଅଷ୍ଟ୍ରେଲିଆ ପାଇଁ ୧୪୯ଟି ମ୍ୟାଚ୍ ଖେଳି, ଏଥିରେ ୩୯୯୦ ରନ୍ କରିଛନ୍ତି । ତେବେ ୨୦୨୨ ମସିହାରେ ଘଟିଥିବା ଏକ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ ଜୋରରେ ଆଘାତ ପାଇଥିଲା । ଯେଉଁ କାରଣରୁ ଗୋଡ଼ର ଯନ୍ତ୍ରଣାକୁ ନେଇ ସେ ଅନେକ ସମୟରେ ଦଳଠୁ ଦୂରରେ ରହୁଥିଲେ । ଏମିତି କି ଚାମ୍ପିୟନ୍ସ ଟ୍ରଫି ସମୟରେ ହିଁ ସେ ଅଷ୍ଟ୍ରେଲିଆ ଟିମର ଚୟନକର୍ତ୍ତାଙ୍କୁ ମଧ୍ୟ କହିଥିଲେ ଯେ, ସେ ୨୦୨୭ ବିଶ୍ୱକପ ଖେଳିପାରିବେ କି ନାହିଁ ସନ୍ଦେହଜନକ । ଆଉ ସତକୁ ସତ, ସେ ଏବେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।