କନକ ବ୍ୟୁରୋ : ଭାରତର ବିଦେଶ ନୀତିକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି । ହେଲେ ସରକାର ଏହାର ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେଉଛନ୍ତି । ଆଉ ବିରୋଧୀଙ୍କ ଅଭିଯୋଗକୁ ସତ୍ୟ ପ୍ରମାଣିତ କରୁଛି ଗୋଟିଏ ପରେ ଗୋଟିଏ ଘଟଣା । କିଛିଦିନ ତଳେ ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କୁ କିଭଳି ଗୋଡ ହାତ ବାନ୍ଧି ଆମେରିକା ପୁଲିସ ଭାରତ ପଠାଉଥିଲା ତାର ଚିତ୍ର ଭାଇରାଲ ହୋଇଛି । ଏହାସହ ପୁଣି ଏବେ ଅଷ୍ଟ୍ରେଲିଆରୁ ଆସିଛି ଦୁଃଖଦ ଖବର । ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ନାଗରିକଙ୍କୁ ପୁଲିସ ପାଦରେ ଦଳି ହତ୍ୟା କରିଛି । ଅଷ୍ଟ୍ରେଲିଆର ଏଡିଲେଡ୍ ରାୟଷ୍ଟନ ପାର୍କରେ ପୁଲିସ ମାଡରେ ଗୁରୁତର ହୋଇଥିବା ଭାରତୀୟ ନାଗରିକ ଗୌରବ କୁନ୍ଦିଙ୍କର ମୃତ୍ୟୁ ହୋଇଛି । ପୁଲିସ ଦ୍ୱାରା ଅତ୍ୟାଧିକ ବଳ ପ୍ରୟୋଗ ଫଳରେ ଗୌରବ ମେ'ମାସ ୨୯ ତାରିଖରେ ଏଡିଲେଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଜୁନ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । 

Advertisment

ଏକ ଆନ୍ଦୋଳନ ବେଳେ ଗୌରବ କୁନ୍ଦିଙ୍କୁ ପୁଲିସ ଅଧିକାରୀମାନେ ମାଟିରେ ପକାଇ ପାଦରେ ଦଳି ଦେଇଥିଲେ । ଏହାର ଭିଡିଓ କରିଥିଲେ ଗୌରବଙ୍କ ବନ୍ଧୁ ଅମୃତପାଲ । ଏହି ଭିଡିଓରେ ଗୌରବ ନିଜକୁ ନିର୍ଦ୍ଦୋଷ ବୋଲି ବାରମ୍ବାର କହୁଥିବା ବେଳେ ପୁଲିସ କିନ୍ତୁ ମାତ୍ରାଧିକ ବଳ ପ୍ରୟୋଗ କରିଥିଲା । 

ଅମୃତପାଲଙ୍କ କହିବା ମୁତାବକ ଜଣେ ପୁଲିସ ଅଧିକାରୀ ଗୌରବଙ୍କୁ ତଳେ ପକାଇ ତାଙ୍କ ତଣ୍ଟି ଉପରେ ଚଢି ଯାଇଥିଲେ । ଯାହାପରେ ଗୁରୁତର ଅବସ୍ଥାରେ ଗୌରବଙ୍କୁ ଏଡିଲେଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହେଲେ ଏହାକୁ ସିଧା ସଳଖ ଖଣ୍ଡନ କରିଛି ଅଷ୍ଟ୍ରେଲିଆ ପୁଲିସ । ଏହି ମାମଲାର ଯାଂଚ ଏବେ ମେଜର କ୍ରାଇମ୍ ଇନଭେଷ୍ଟିଗେସନ ବ୍ରାଞ୍ଚ କରୁଛି । ଏହାସହ ପୁଲିସ ଏନେଇ ଭାରତୀୟ ବାଣିଜ୍ୟ ଦୂତାବାସକୁ ତଥ୍ୟ ପ୍ରଦାନ କରିଛି ।