କନକ ବ୍ୟୁରୋ: ୧୦୪ ରନରେ ଅଲଆଉଟ୍ ହେଲା ଅଷ୍ଟ୍ରେଲିଆ । ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆର ଦମଦାର ବୋଲିଂ ଆଟାକ୍ ଆଗରେ ମୁଣ୍ଡ ନୁଆଁଇଛି ଅଷ୍ଟ୍ରେଲିଆ । ତେବେ ଦଳ ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ କେବଳ ୧୦୪ ରନରେ ଅଲଆଉଟ୍ ହେଇଯାଇଛି । ଭାରତ ପକ୍ଷରୁ ଦ୍ରୁତ ବୋଲର ତଥା ଅଧିନାୟକ ଜଶପ୍ରୀତ ବୁମରା ୫ ଓ୍ୱିକେଟ୍ ସଫଳତା ପାଇଛନ୍ତି । ଏହାବାଦ୍ ମହମ୍ମଦ ସିରାଜଙ୍କୁ ୨ଟି ଓ୍ୱିକେଟ୍ ଏବଂ ହର୍ଷିତ ରାଣାଙ୍କୁ ମିଳିଛି ୩ଟି ଓ୍ୱିକେଟ୍ ।
ଗତକାଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ହେଲେ ଦଳ ମାତ୍ର ୧୫୦ ରନରେ ଅଲଆଉଟ୍ ହେଇଯାଇଥିଲା । କେବଳ ନୀତିଶ ରେଡ୍ଡୀ, କେ ଏଲ ରାହୁଲ ଏବଂ ରିଷଭ ପନ୍ତଙ୍କୁ ଛାଡିଦେଲେ, ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ ରନ୍ ବି ଟପିପାରିନଥିଲେ । ଏହି ତିନି ଖେଳାଳି କେବଳ କିଛି ଆଖିଦୃଶିଆ ସଟ୍ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ବୋଲର ଜୋସ୍ ହେଜେଲଉଡ୍ ୪ଟି ଓ୍ୱିକେଟ୍ ସଫଳତା ପାଇଥିବାବେଳେ, ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ମିଚେଲ ମାର୍ଶ ୨ଟି ଲେଖାଏଁ ସଫଳତା ପାଇଥିଲେ । ଭାରତ ପକ୍ଷରୁ ନବାଗତ ଅଲରାଉଣ୍ଡର ନୀତିଶ ରେଡ୍ଡୀ ସର୍ବାଧିକ ୪୧ ରନ୍ କରିଥଲେ । ତାଙ୍କ ପଛକୁ ରିଷଭ ପନ୍ତ କେବଳ ୩୭ ରନ୍ କରିପାରିଥିଲେ ।
ଅନ୍ୟପଟେ ଭାରତର ବୋଲିଂ କିନ୍ତୁ ଆରମ୍ଭରୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆ ପକାଇଥିଲା । ଖାସ୍ କରି ଜଶପ୍ରୀତ ବୁମରା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ ସାଜିଥିଲେ । ଲଗାତାର ଭାବେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଓ୍ୱିକେଟ୍ ନେଇଥିଲେ ବୁମରା । ଆଉ ତାଙ୍କ ସହ ସିରାଜ୍ ଏବଂ ହର୍ଷିତ ରାଣା ମଧ୍ୟ ସାଥ୍ ଦେଇଥିଲେ । ଏବେ ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରିବ ଭାରତ ।