କନକବ୍ୟୁରୋ : ମୋଗଲ ସମ୍ରାଟ୍ ଔରଙ୍ଗଜେବଙ୍କ କବରକୁ ନେଇ ମହାରାଷ୍ଟ୍ରରେ ବିବାଦ । ନାଗପୁରରେ ସମାଧି ବିବାଦକୁ ନେଇ ଅଶାନ୍ତି । ଔରଙ୍ଗଜେବଙ୍କ କବର ଭାଙ୍ଗିବା ଦାବିରେ ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟମାନେ ମୋଗଲ ସମ୍ରାଟଙ୍କ କୁଶ ପୁତ୍ତଳିକା ଦାହ କଲେ । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ।
ପରସ୍ପରକୁ ପଥର ମାଡ଼, ଲୋକଙ୍କ ଘର ଉପରକୁ ବି ପଥର ମାଡ଼ କରିଛନ୍ତି ଉପଦ୍ରବକାରୀ । କେବଳ ସେତିକି ନୁହେଁ, ରାସ୍ତା କଡରେ ଛିଡା ହୋଇଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଅଗ୍ନିକାଣ୍ଡ ଘଟାଇବା ସହ ଅନେକ ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।
ତେବେ ପୋଲିସ ଉପରକୁ ବି ଆକ୍ରମଣ କରିବାକୁ ବି ପଛାଇ ନାହାଁନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଶେଷରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । କେବଳ ସେତିକି ନୁହେଁ, ନାଗପୁର ଡିସିପି ନିକେତନ କଦମଙ୍କୁ ମଧ୍ୟ କୁରାଢ଼ିରେ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ । ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସେପଟେ ୫୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି ପୋଲିସ । ସହରରେ ୧୬୩ ଧାରା ଲାଗୁ କରାଯାଇଛି । ପୁରା ସହରରେ ପୋଲିସ ଛାଉଣି କରାଯାଇଛି । ଔରଙ୍ଗାବାଦ ଜିଲ୍ଲାର ଖୁଲଦାବାଦ ସହରସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପାଇଁ ପ୍ରମୁଖ ହିନ୍ଦୁ ସଙ୍ଗଠନ ରାଜ୍ୟର ସରକାରଙ୍କୁ ଚେତାବନୀ ଦେଇଛନ୍ତି । କବରସ୍ଥଳକୁ ହଟାଇବା ପ୍ରକ୍ରିୟାରେ ବିଳମ୍ବ ହେଲେ ବାବରୀ ମସଜିଦ ଧ୍ୱଂସ ଘଟଣା ପରି କବରସ୍ଥଳକୁ ମଧ୍ୟ ଭଙ୍ଗାଯିବ ବୋଲି ଚେତାବନୀ ଦେଇଛନ୍ତି ହିନ୍ଦୁ ସଙ୍ଗଠନ । ଏହି ଚେତାବନୀ ପରେ ଔରଙ୍ଗଜେବଙ୍କ କବରସ୍ଥଳର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
---