କନକ ବ୍ୟୁରୋ: ୨ ହଜାର ୮୦୮ କୋଟି ଖର୍ଚ୍ଚ ହେଲା, ହେଲେ ମିଳିଲାନି ପାନୀୟ ଜଳ । ଅଧିକାଂଶ ସହରରେ ବ୍ୟକ୍ତି ପିଛା ଦୈନିକ ୧୩୫ ଲିଟର ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି ସରକାର । କେବଳ ସେତିକି ନୁହେଁ, ୪୮ ଲକ୍ଷ ଟଙ୍କାର ଅଗ୍ରହଣୀୟ ଖର୍ଚ୍ଚ କରିଥିବା ଅଡିଟ ରିପୋର୍ଟରେ ଧରାପଡିଛି ।

Advertisment

କେଉଁଠି ଅସମ୍ପୂର୍ଣ୍ଣ ପ୍ରକଳ୍ପ ତ କେଉଁଠି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରୁ ମିଳୁଛି ଖରାପ ପାଣି । ଅମୃତ ଓ ବସୁଧା ଯୋଜନାରେ ହୋଇଥିବା ଅନିୟମିତତାକୁ ଧରିଛନ୍ତି ସିଏଜି । ୨ ହଜାର ୮୦୮ କୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ଅନେକ ପ୍ରକଳ୍ପ ଏବେ ବି ଅସଂପୂର୍ଣ୍ଣ । ସେଥିପାଇଁ ସାରା ରାଜ୍ୟରେ ଉପୁଜିଥିଲା ପାନୀୟ ଜଳ ସଙ୍କଟ । କଟକ ସହରରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ ହୋଇନପାରି ଫେରିଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ ।

ବ୍ରହ୍ମପୁର ସହରରେ ୨୦୧୭ରେ ଆରମ୍ଭ ହୋଇଥିଲା ଅମୃତ ଯୋଜନାର କାମ । ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ଥିଲା ମୂଳ ଲକ୍ଷ୍ୟ । ମାତ୍ର ନିର୍ଦ୍ଧାରିତ ସମୟରେ ସରିନଥିଲା କାମ । ଟେଣ୍ଡର ଠାରୁ ଅଧିକ ଟଙ୍କା ବ୍ୟୟରେ ୨୦୨୩ରେ ଏହା ସରିଥିଲା । ବ୍ରହ୍ମପୁରରେ ୧ କୋଟି ୭୪ ଲକ୍ଷ ଟଙ୍କାରେ ସ୍ଥାପନ କରାଯାଇଥିବା ସୌରଶକ୍ତିଚାଳିତ ଜଳ ପ୍ରକଳ୍ପ ବି ରକ୍ଷଣାବେକ୍ଷଣ ଅଭାବରୁ ୩ ବର୍ଷ ପରେ ଖରାପ ହୋଇଯାଇଥିଲା । ସେହିପରି ବୁର୍ଲାରେ ୯ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ୍‌ ନବୀକରଣ କରାଯାଇଥିଲେ ମଧ୍ୟ ବାହାରିନଥିଲା ବିଶୁଦ୍ଧ ପାଣି । ଏପଟେ ମନ୍ତ୍ରୀ କହିଛନ୍ତି, ଯାହା ଅନିୟମିତତା ହୋଇଥିଲା ପୂର୍ବ ସରକାରଙ୍କ ଅମଳରେ ହୋଇଛି। ଏଣିକି କାମ ଠିକ୍‌ ଭାବେ ହେବ ।